ସମାଜସେବୀ ମେଧା ପାଟକରଙ୍କୁ ୬ ମାସ ଜେଲ, ୧୦ ଲକ୍ଷ ଜରିମାନା

Published By : Prameya-News7 Bureau | July 01, 2024 IST

indiatoday

ନୂଆଦିଲ୍ଲୀ: ସମାଜସେବୀ ମେଧା ପାଟକରଙ୍କୁ ୬ ମାସ ଜେଲ ଦଣ୍ଡ। ଭିକେ ସକ୍‌ସେନାଙ୍କ ଦ୍ୱାରା କରାଯାଇଥିବା ମାନହାନୀ ମାମଲାରେ ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ କୋର୍ଟ ମେଧାଙ୍କୁ ୬ ମାସ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନ କରିଛନ୍ତି। ଚଳିତ ବର୍ଷ ମେ ମାସରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ରାଘବ ଶର୍ମା ମେଧାଙ୍କୁ ଦୋଷୀ ସାବ୍ଯସ୍ତ କରିଥିଲେ। ସୋମବାର ଏହାର ରାୟ ପ୍ରକାଶ ପାଇଛି।

ମାମଲା ୨୪ ବର୍ଷ ତଳର। ବର୍ତ୍ତମାନ ଦିଲ୍ଲୀ ଉପଜିଲ୍ଲାପାଳ ଥିବା ଭିକେ. ସକସେନା ମେଧା ପାଟକରଙ୍କ ବିରୋଧରେ ମାନହାନୀ ମାମଲା କରିଥିଲେ। ୨୦୦୨ ମସିହାରୁ ଦୁଇ ଜଣଙ୍କ ମଧ୍ଯରେ ଆଇନଗତ ଲଢ଼େଇ ଜାରି ରହିଥଲା। ସକ୍‌ସେନା ସେତେବେଳେ ଅହମଦାବାଦର ଏନଜିଓ ସଂସ୍ଥା ନ୍ଯାସନାଲ କାଉନସିଲ ଫର ସିଭିଲ ଲିବର୍ଟି ମୁଖ୍ଯ ଥିଲେ। ସେତେବେଳେ ସକସେନା ମେଧା ଓ ତାଙ୍କର ନର୍ମଦା ବଞ୍ଚାଅ ଆନ୍ଦୋଳନ ଉପରେ ଏକ ବିଜ୍ଞାପନ ଜାରି କରିଥିଲେ। ଯାହାକୁ ନେଇ ମେଧା ଭିକେ ସକ୍‌ସେନାଙ୍କ ବିରୋଧରେ ମାମଲା କରିଥିଲେ।  

ଏହାପରେ ସକ୍‌ସେନା ମଧ୍ଯ ମେଧାଙ୍କ ବିରୋଧରେ ଦୁଇଟି ମାମଲା କରିଥିଲେ। ଟିଭି ଚ୍ଯାନେଲ୍‌ରେ ବସି ତାଙ୍କ ବିରୋଧରେ ମାନହାନୀ ମନ୍ତବ୍ଯ ଦେଇଥିବାରୁ ସେ ଦୁଇଟି ମାମଲା ରୁଜୁ କରିଥିଲେ। ଯାହାର ଆଇନଗତ ଲଢ଼େଇ ଦୀର୍ଘ ୨୪ ବର୍ଷ ହେଲା ଜାରି ରହିଥିଲା।

ମାମଲାରେ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରି ବିଚାରପତି ରାଘବ ଶର୍ମା କହିଥିଲେ ଯେ ସକସେନାଙ୍କ ବିରୋଧରେ ମେଧା ଦେଇଥିବା ବୟାନ କେବଳ ମାନହାନୀ ନଥିଲା ବରଂ ତାଙ୍କ ବିରୋଧରେ ନକାରାତ୍ମକ ଭାବନା ପ୍ରଚାର କରିବା ଉଦ୍ଦେଶ୍ଯରେ କରାଯାଇଥିଲା। ସୋମବାର ରାୟ ଶୁଣାଇଲା ବେଳେ କୋର୍ଟ କହିଛନ୍ତି ଯେ ପାଟକରଙ୍କ ବୟସ ୬୯ ହେଲାଣି। ତେଣୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦେଖି ତାଙ୍କୁ କଠୋର ଦଣ୍ଡ ଦିଆଯାଇପାରିବ ନାହିଁ।

ଏହି ମାମଲାରେ ପାଟକର ଜାମିନ ଆବେଦନ କରିଛନ୍ତି। ଜାମିନର ଶୁଣାଣି ନ ହେବା ପର୍ଯ୍ୟନ୍ତ କୋର୍ଟଙ୍କ ରାୟ ଉପରେ ୩୦ ଦିନର ରହିତାଦେଶ ଲାଗିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.