ଆସାମ ବନ୍ୟାରେ ଗଲା ୩୮ ଜୀବନ, ୨୮ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ପ୍ରଭାବିତ

Published By : Prameya-News7 Bureau | July 03, 2024 IST

ଗୌହାଟୀ ୦୩/୦୭ : ବନ୍ୟାରେ ଉବୁଟୁବୁ ଆସାମ । ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣ ଆଉ ପାଣି । ପ୍ରବଳ ବର୍ଷା ହେତୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି । ଏବେବି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ହେତୁ ଉତ୍ତର-ପୂର୍ବର ନଦୀଗୁଡ଼ିକରେ ଜଳସ୍ତର ବି ବିପଦ ସଙ୍କେତ ଉପରେ । 

ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ଆସାମ ଅବସ୍ଥା ସବୁଠୁ ଗମ୍ଭୀର ରହିଛି । ସୂଚନାଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ଆସାମରେ ବନ୍ୟା ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜଳରେ ବୁଡ଼ି ୩ ଜଣ ପ୍ରାଣ ହରାଇଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁସାରେ (ASDMA) ଜୁଲାଇ ୨ ରେ ତିନସୁକିଆ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଧମାଜୀ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । 

ମଙ୍ଗଳବାର ଦିନ ରାଜ୍ୟରେ ବନ୍ୟା ପରିସ୍ଥିତି ଗୁରୁତର ହୋଇପଡିଛି, ଯେଉଁଥିପାଇଁ ୨୮ ଟି ଜିଲ୍ଲାର ୧୧.୩୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କେବଳ ଲକ୍ଷ୍ମୀପୁର ଜିଲ୍ଲାରେ ସମୁଦାୟ ୧,୬୫,୩୧୯ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨.୮୭ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି । 

ସେହିପରି ବନ୍ୟା ଯୋଗୁ ଅନେକ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି। ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜଙ୍ଗଲର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ଫଳରେ ଏଣେତେଣେ ଦୌଡ଼ିବାକୁ ଲାଗିଛନ୍ତି ବନ୍ୟପ୍ରାଣୀ। ବନ୍ୟାରେ ଭାସିଯାଇ ୪ଟି ହରିଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.