ରତ୍ନଭଣ୍ଡାର କମିଟି ଗଠନକୁ ନେଇ ତେଜିଲା ରାଜନୀତି, ବିଜେଡିର ଟାର୍ଗେଟ୍‌କୁ ଜବାବ ଦେଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | July 05, 2024 IST

ଭୁବନେଶ୍ଵର:  ପୁରୁଣା ରତ୍ନ ଭଣ୍ଡାର କମିଟି ଭାଙ୍ଗିବା ଏବଂ ନୂଆ ରତ୍ନ ଭଣ୍ଡାର କମିଟି ଗଠନକୁ ନେଇ ତେଜିଛି ରାଜନୀତି । ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଅରଜିତ୍ ପଶାୟତଙ୍କ ଭଳି ସୁନାମଧନ୍ୟ ବ୍ୟକ୍ତଙ୍କୁ ମନ୍ଦ ଉଦେଶ୍ୟ ରଖି ହଟେଇ ଦିଆଯାଇଛି  । ସେମାନେ କେତେବେଳେ କ’ଣ କହୁଛନ୍ତି, ତାଙ୍କର କ’ଣ ଉଦେଶ୍ୟ ତାହା ଓଡ଼ିଶାବାସୀ ଜାଣିଛନ୍ତି । ଜବାବରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି । ଗଣତି ମଣତି କରିପାରିଲେନି। ଏବେ ଯଦି ସେମାନେ କହିବେ କାହିଁକି କମିଟି ଭାଙ୍ଗିଲା, ଏହାଠୁ ଦୁର୍ଭାଗ୍ୟ ପୂର୍ଣ୍ଣ ଉତ୍ତର କିଛି ନହୋଇପାରେ ।

ନୂଆ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନୂଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୬ ଜଣିଆ କମିଟି । ତେବେ ଏହା ପୂର୍ବରୁ ଗତ ଫେବ୍ରୁଆରୀ ୨୯ରେ ପୂର୍ବର ବିଜେଡି ସରକାର ରତ୍ନଭଣ୍ଡାର ତଦାରଖ ପାଇଁ ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ କମିଟି ଗଠନ କରିଥିଲେ । ଆଜି ଏହି କମିଟିର ବୈଠକ ବସିବାର ଥିଲା । କିନ୍ତୁ ଗତକାଲି ରାତିରେ ନୂଆ କମିଟି ଗଠନ ହୋଇଛି ବୋଲି  ଘୋଷଣା କରିଥିଲୋ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯାହାକୁ ନେଇ ବିଜେପି ସରକାରଙ୍କୁ ଘେରିଛି ବିଜେଡି । 

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି । ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଭଳି ସୁନାମଧନ୍ୟ ବ୍ୟକ୍ତିଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଯାଇଛି। ସେମାନେ କେତେବେଳେ କ’ଣ କହୁଛନ୍ତି, ତାଙ୍କର କ’ଣ ଉଦେଶ୍ୟ ତାହା ଓଡ଼ିଶାବାସୀ ଜାଣିଛନ୍ତି । କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେବେଳେ ମନା କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ । ସେହିଭଳି କଂଗ୍ରେସ କହିଛି ରତ୍ନଭଣ୍ଡାର ତୁରନ୍ତ ଖୋଲି ଗଣତି ମଣତି କରାଯାଉ ।  

ସେପଟେ  ବିଜେଡିର ଏଭଳି ଅଭିଯୋଗର ଜବାବ୍ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ, ଜଣେ ଯଦି ଲଜ୍ୟାହୀନ ହେବ ତାହା ହେଲେ ତାଙ୍କ ପାଖରେ ଉତ୍ତର ନାହିଁ । ୨୪ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେ ନାହିଁ । ଗଣତି ମଣତି କରିପାରିଲେ ନାହିଁ । ଏବେ ଯଦି ସେମାନେ କହିବେ କାହିଁକି କମିଟି ଭଙ୍ଗାଗଲା, ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉତ୍ତର କିଛି ନହୋଇପାରେ । ଏକଥା ସ୍ପଷ୍ଟ ଯେ, ସରକାର ଗଠନକୁ ୨୨-୨୫ଦିନ ଭିତରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି । 

ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ ଆସନ୍ତାକାଲି କମିଟି ନିଷ୍ପତ୍ତି ନେବ । ରତ୍ନ ଭଣ୍ଡାର ଯଥା ସମୟରେ ଖୋଲାଯିବ ଗଣତି ମଣତି କରାଯିବ । ପ୍ରତିଟି ଆର୍ଟକିଲର ଡିଜିଟାଲ ଫଟୋକପି କରାଯିବ । ସବୁକୁ ପ୍ରିଜର୍ଭ କରାଯିବ । ଆଗାମୀ ୫୦ବର୍ଷ ପର୍ଯ୍ୟନ୍ତ ରେଫରାଲ ଡକ୍ୟୁମେଣ୍ଟସ୍ ଭଳି ତାକୁ ବ୍ୟବହାର କରାଯିବ । ତେଣୁ ଏଭଳି ଉଦ୍ଭଟ କଥାରୁ ବିଜୁ ଜନତା ଦଳ ନିବୃତ ରହୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି। ତେଣୁ ସରକାର ଗଠନ ପରେ ପ୍ରତିଶ୍ରୁତି ପୂରଣ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ବିଜେପି ସରକାର।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.