ଲୋକସଭାର ଏପର୍ଯ୍ୟନ୍ତ ହୋଇଥିବା LOPଙ୍କ ବୟସ ୬୦ ବର୍ଷ ବା ତାଠୁ କମ୍, ସର୍ବକନିଷ୍ଠ ଥିଲେ ରାଜୀବ, ଏବେ ରାହୁଲ ଗାନ୍ଧିଙ୍କୁ ୫୪ ବର୍ଷ

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ ୨।୭: ରାହୁଲ ଗାନ୍ଧି ଜୁନ ୨୫ ତାରିଖ ଦିନ ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ହୋଇଥିଲେ। ୯୯ଟି ଆସନ ଜିତି କଂଗ୍ରେସ ପୁଣି ଥରେ ୧୦ ବର୍ଷ ବାଦେ ସଂସଦରେ ଏଲଓପି ପଦ ହାସଲ କରିଛି।  ୧୯୫୨ ମସିହାରୁ ଏପର୍ଯ୍ୟନ୍ତ ଏଲଓପି ତଥ୍ୟ ବିଶ୍ଲେଷଣ କଲେ ଜଣାପଡୁଛି ଯୁବ ଲିଡର ଅଫ ଅପୋଜିସନ ବ୍ରିଗେଡରେ ଗାନ୍ଧି ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ। ଦେଶର ୪ ସବୁଠୁ ଯୁବ ଲିଡର ଅଫ ଅପୋଜିସନଙ୍କ ମଧ୍ୟରେ ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ପଛକୁ ଅଛନ୍ତି ରାହୁଲ ଗାନ୍ଧି। 

ତେବେ ରାହୁଲ ଗାନ୍ଧିଙ୍କ ପିତା ରାଜୀବ ଗାନ୍ଧି ଓ ମା ସୋନିଆ ଗାନ୍ଧି ଯେବେ ସଂସଦରେ ଏଲଓପି ଥିଲେ ସେତେବେଳେ ସେମାନଙ୍କ ବୟସ ରାହୁଲଙ୍କ ଠାରୁ ମଧ୍ୟ କମ ଥିଲା। ରାଜୀବ ଗାନ୍ଧିଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ସେ ୧୯୮୯ ମସିହାରେ ୧୦ମ ଲୋକସଭାରେ ବିରୋଧୀ ଦଳ ନେତା ହେବାରେ ସବୁଠୁ କମ ବୟଷ୍କ ରାଜନେତା ଥିଲେ।  ଅନ୍ୟପଟେ ୧୯୯୯ ମସିହାରେ ସୋନିଆ ଗାନ୍ଧି ତ୍ରୟୋଦଶ ଲୋକସଭାରେ ବିରୋଧୀ ଦଳ ନେତ୍ରୀ ହେବା ବେଳେ ତାଙ୍କ ବୟସ ୫୩ ବର୍ଷ ଥିଲା। 

ଏ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳ ନେତାମାନେ ୬୦ ବର୍ଷ ବା ତାଠୁ କମ ବୟଷର। ଲୋକସଭାର ପ୍ରଥମ ନେତା ପ୍ରତିପକ୍ଷ ରାମ ଶୁଭଗ ସିଂହ ଓ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ରହିଛି। ଏହାର ବିପରୀତ ଉତ୍ତରପ୍ରଦେଶ ମୋହନଲାଲ ଗଞ୍ଜରୁ ୮୦ ବର୍ଷିୟ କଂଗ୍ରେସ ସାଂସଦ ଗଙ୍ଗା ଦେବୀ ନିମ୍ନ ସଦନରେ ସବୁଠୁ ବୟଷ୍କା ବିରୋଧୀ ଦଳ ନେତା ଥିଲେ ଓ ସେ ମାତ୍ର ୧୫ ଦିନର ସବୁଠୁ କମ୍ କାର୍ଯ୍ୟକାଳର ନେତା ମଧ୍ୟ ଥିଲେ। 

BusinessLine

ସଂସଦର ସବୁଠୁ ବଡ଼ ବିରୋଧୀ ଦଳର ନେତାଙ୍କୁ ଏଲଓପି ରୂପେ ପରିଭାଷିତ କରାଯାଏ। ତାଙ୍କୁ ପ୍ରାୟତଃ ଛାୟା ପ୍ରଧାନମନ୍ତ୍ରୀ ବା ବିକଳ୍ପ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ କୁହାଯାଏ। କାରଣ କ୍ଷମତାସୀନ ଦଳ ଯଦି ଭୂଷୁଡି ପଡେ ବିରୋଧୀ ଦଳ ନେତାଙ୍କ ଟିମ୍‌ କୁ ସରକାର ସମ୍ଭାଳିବାକୁ ପଡିଥାଏ। ତେବେ ଅଷ୍ଟାଦର ଲୋକସଭାର ସବୁଠୁ ଯାହା ଖାସ କଥା ତାହା ହେଉଛି ଦୀର୍ଘ ୧୦ ବର୍ଷ ପରେ ଗୃହକୁ ବିରୋଧୀ ଦଳ ନେତା ମିଳିଛନ୍ତି। ତେବେ ସଂସଦରେ ବିରୋଧୀ ଦଳ ନେତା ପଦ ଖାଲି ରହିବା ନୂଆ କଥା ନୁହେଁ ପାଖାପାଖି ୮ଟି ଅଧିବେଶନ ଏପରି ଥିଲା ଯେତେବେଳେ ସଦନରେ ନେତା ପ୍ରତିପକ୍ଷ ନଥିଲେ। 

୧୯୬୯ ମସିହା ପର୍ଯ୍ୟନ୍ତ ଲିଡର ଅଫ ଅପୋଜିସନଙ୍କୁ ଅଧିକାରୀକ ମାନ୍ୟତା ମିଳି ନଥିଲା। ଡିସେମ୍ବର ୧୯୬୯ରେ ପ୍ରଥମେ ରାମ ଶୁଭାଗ ସିଂହ ସଂସଦରେ ନେତା ପ୍ରତିପକ୍ଷ ହୋଇଥିଲେ। ୧୯୭୭ ମସିହାରେ ସଂସଦରେ ବିରୋଧୀ ଦଳ ନେତାଙ୍କ ବେତନ ଓ ଭତ୍ତା ଅଧିନିୟମର ପ୍ରାରମ୍ଭ ସହିତ ଏହି ପଦକୁ ଅଧିକାରୀକ ମାନ୍ୟତା ମିଳିଥିଲା। ଅଧିନିୟମରେ ଲିଡର ଅଫ ଅପୋଜିସନଙ୍କୁ ବିରୋଧୀ ଦଳର ସେହି ନେତା ରୂପେ ପରିଭାଷିତ କରାଯାଇଛି ଯାହାଙ୍କର ଗୃହରେ ଶାଶକ ଦଳ ପରେ ସବୁଠୁ ଅଧିକ ସଂଖ୍ୟାବଳ ଥାଏ ଓ ତାଙ୍କୁ ବାଚସ୍ପତି ଗୃହରେ ମାନ୍ୟତା ଦିଅନ୍ତି। 

ଇନ୍ଦିରା ଗାନ୍ଧିଙ୍କ ଜରୁରିକାଳ ୧୯୭୦-୭୭ ପଞ୍ଚମ ଲୋକସଭାରେ କେହିବି ନେତା ପ୍ରତିପକ୍ଷ ନଥିଲେ। କାରଣ କୌଣସି ପାର୍ଟି ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାବଳ ନଥିଲା। ସପ୍ତମ ଓ ଅଷ୍ଟମ ଲୋକସଭାରେ ମଧ୍ୟ ସମାନ ପରିସ୍ଥିତି ଥିଲା। ୨୦୧୪ ଓ ୨୦୧୯ ଏନଡିଏ ଶାସନ କାଳରେ କଂଗ୍ରେସକୁ ଯଥାକ୍ରମେ ୪୪ ଓ ୫୨ ସିଟ୍‌ ହିଁ ମିଳିଥିଲା। ଯାହା ଦଳକୁ ବିରୋଧୀ ଦଳ ନେତା ପଦବୀ ମିଳିବା ସଂଖ୍ୟାଠାରୁ କମ୍ ଥିଲା। ୟଶବନ୍ତ ରାଓଚୌହାନ, ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ୩ ଏପରି ନେତା ଥିଲେ ଯେଉଁମାନେ ଦୀର୍ଘ ସମୟ ଧରି ସଂସଦରେ ବିରୋଧୀ ଦଳ ନେତା ଥିଲେ। ତେବେ ଆଡଭାନୀ ସବୁଠୁ ଅଧିକ କାଳ ଧରି ବିରୋଧୀ ଦଳ ନେତା ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.