ବେଙ୍ଗାଲୁରୁ ୪।୭: ବେଙ୍ଗାଲୁରୁ ବିମାନ ବନ୍ଦରର ଟର୍ମିନାଲ-୨ରେ ଥିବା ଇମ୍ମିଗ୍ରେସନ ଅଧିକାରୀମାନେ ଜନୈକ ଯାତ୍ରୀଙ୍କୁ ଅଟକ ରଖିଛନ୍ତି। ଏହି ଯାତ୍ରୀ ୪ ବର୍ଷ ହେଲା ଚେନ୍ନାଇରୁ ନିଖୋଜ ଥିଲେ। ତେବେ ସେ ଥାଇଲ୍ୟାଣ୍ଡ ଯାଉଥିବା ଇଣ୍ଡିଗୋ ବିମାନରେ ଉଠିବା ପୂର୍ବରୁ ଅଧିକାରୀମାନେ ତାଙ୍କୁ ଅଟକ କରିଛନ୍ତି। ରିପୋର୍ଟ ଅନୁସାରେ ସନ୍ଦିଗ୍ଧଙ୍କୁ ମହମ୍ମଦ ୱାଜିଦ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେ ପେରାମ୍ବୁରର ବାସିନ୍ଦା।
ତାଙ୍କ ପତ୍ନୀ ଭାମିତା ୨୩ ମାର୍ଚ୍ଚ ୨୦୨୦ରେ ସେ ନିଖୋଜ ଥିବା ନେଇ ଚେନ୍ନାଇ ଥାଉଜାଣ୍ଡ ଲାଇଟ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ୱାଜିଦ ୨୦୨୦ ମସିହାରେ ବ୍ୟବସାୟରେ ବିପୁଳ କ୍ଷତି ଯୋଗୁ ଘରୁ କେଉଁ ଆଡେ ପଳାଇଥିଲେ। ଏ ନେଇ ତାଙ୍କ ପତ୍ନୀ ପୋଲିସ ଥାନାରେ ଏକ ମିସିଂ ରିପୋର୍ଟ କରିଥିଲେ। ତାମିଲନାଡୁ ପୋଲିସ କିଛି ବର୍ଷ ପୂର୍ବେ ୱାଜିଦଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ତେବେ ଇମ୍ମିଗ୍ରେସନ ଅଧିକାରୀମାନେ ତାଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ଥାଇଲ୍ୟାଣ୍ଡ ବିମାନରେ ଚଢିବାକୁ ଯିବା ପୂର୍ବରୁ ଅଟକ କରିବା ସହ ଚେନ୍ନାଇ ପୋଲିସକୁ ସୂଚିତ କରିଛନ୍ତି।
ସୂଚନା ପାଇ ଚେନ୍ନାଇ ପୋଲିସ ବେଙ୍ଗାଲୁରୁ ଯାଇ ୱାଜିଦକୁ ଧରି ଫେରିଯାଇ ଛନ୍ତି। ତେବେ ୱାଜିଦ ବ୍ୟବସାୟ ପାଇଁ କରିଥିବା ଅଧିକାଂଶ ଋଣ ଏବେ ସୁଝି ସାରିଲାଣି। ଏଣୁ ସେ ତାଙ୍କର ଗୃହ ସହର ଯିବାରେ କୌଣସି ଅସୁବିଧା ନାହିଁ ବୋଲି ଜନୈକ ପୋଲିସ ଅଧିକାରୀ କହିଛନ୍ତି। ତେବେ ବ୍ୟବସାୟରେ କ୍ଷତି ଯୋଗୁ ସେ ଦେଶରୁ ଫେରାର ହୋଇଯାଇଥିବା ଏବେ ଜଣାପଡିଛି।