ଅନନ୍ତ-ରାଧିକାଙ୍କ ସଂଗୀତରେ ଜଷ୍ଟିନ୍ ବିବର ଚାର୍ଜ କରିଛନ୍ତି ୮୩ କୋଟି, ସାମ୍ନାକୁ ଆସିଲା ପାର୍ଟିର ଭିଡିଓ

Published By : Prameya-News7 Bureau | July 07, 2024 IST

ମୁମ୍ଵାଇ ୦୭।୦୭: ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ହାତଗଣ୍ଠି ପଡ଼ିବ । ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଚର୍ଚ୍ଚା ହେଉଛି ଉଭୟଙ୍କ ସଙ୍ଗୀତ ଉତ୍ସବରେ ପ୍ରଦର୍ଶନ କରିବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗାୟକ ଜଷ୍ଟିନ ବିବର । ଗତ ଗୁରୁବାର ବିବର ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ଗାଡ଼ିରେ ତାଙ୍କର ଯିବା ଭିଡିଓ ଇଣ୍ଟର୍‌ନେଟରେ ଖୁବ୍‌ ଭାଇରାଲ ହେଉଛି । 


୫ ତାରିଖ ଅର୍ଥାତ ଆଜି ଅମ୍ବାନି ବାସଭବନ ଆଣ୍ଟିଲିଆରେ ଅନନ୍ତ-ରାଧିକାଙ୍କ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବିବର ମଞ୍ଚରେ ଗୀତ ଗାଇବେ । ଏକ ପର୍ତ୍ତୁଗିଜ୍‌ ପୋର୍ଟାଲ ଲିଓଡିଆସ୍‌ର ରିପୋର୍ଟ ଅନୁସାରେ, ମଞ୍ଚ ପ୍ରଦର୍ଶନ ଲାଗି ଅମ୍ବାନି ପରିବାର ଜଷ୍ଟିନଙ୍କୁ ୮୩ କୋଟି ପାରିଶ୍ରମିକ ଦେଇଛି । ୭ ବର୍ଷ ପରେ ବିବର ଭାରତ ଆସିଛନ୍ତି । ଏହା ପୂର୍ବରୁ ୨୦୨୨ ମସିହାରେ ସେ ଭାରତରେ ଏକ କନ୍‌ସର୍ଟ କରିଥାନ୍ତେ । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାହା ବାତିଲ ହୋଇଥିଲା । 


ଏଥର ସେ କେବଳ ଅନନ୍ତଙ୍କ ବିବାହ ଉତ୍ସବରେ ପ୍ରଦର୍ଶନ କରିବେ । ମୁମ୍ବାଇର ଜିଓ ୱର୍ଲଡ୍‌ କନ୍‌ଭେନ୍‌ସନ ସେଣ୍ଟର୍‌ରେ ଆୟୋଜିତ ଅନନ୍ତ-ରାଧିକାଙ୍କ ବିବାହ ଉତ୍ସବରେ ଅଦିଲ, ଡ୍ରେକ୍‌ ଓ ଲାନା ଡେଲ ରେଙ୍କ ଭଳି ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅମ୍ବାନି ପରିବାର ଏହି କଳାକାରଙ୍କ ସହ ସମ୍ପର୍କ କରୁଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.