ଜୁଲାଇ ୮-୯ରେ ମସ୍କୋ ଗସ୍ତ କରିବେ ପିଏମ୍ ମୋଦୀ, ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଦେବେ ଯୋଗ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୮-୯ରେ ରୁଷ ଗସ୍ତ କରିବେ । ମସ୍କୋ ସହ ନୂଆଦିଲ୍ଲୀର ରଣନୈତିକ ସହଭାଗିତାକୁ ଅଧିକ ମଜଭୁତ କରିବା ଏବଂ ଦୁଇ ଦେଶ ମଧ୍ୟରେ ୨୨ତମ ଦ୍ୱିପାକ୍ଷିକ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ । ଏହାସହ ଦୁଇ ଦେଶ ସହ ବୈଶ୍ୱିକ ଘଟଣାକ୍ରମ ଉପରେ ଆଲୋଚନା କରିବେ । ଉଲ୍ଲେଖଯୋଗ୍ୟ ଯେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ପିଏମ୍ ମୋଦୀ ପ୍ରଥମ ଥର ମସ୍କୋ ଯାତ୍ରା କରିବେ । 

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆମନ୍ତ୍ରଣରେ ୨୨ତମ ରୁଷ-ଭାରତ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୮-୯ରେ ମସ୍କୋ ଗସ୍ତ କରିବେ । ଦୁଇ ରାଷ୍ଟ୍ରନେତା ଦୁଇ ଦେଶର ବୃହତ ସମ୍ପର୍କର ସମୀକ୍ଷା କରିବା ସହ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ନିଜ ମତ ବିନିୟମ କରିବେ । 

ଏହାପରେ ପିଏମ୍ ମୋଦୀ ଜୁଲାଇ ୯-୧୦ରେ ଅଷ୍ଟ୍ରିଆ ଗସ୍ତ କରିବେ । ଯାହା ଗତ ୪୧ ବର୍ଷରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ । ସେଠାରେ ସେ ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଭନ୍ ଡେର ବେଲେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହାସହ ଅଷ୍ଟ୍ରିଆ ଚାନ୍ସସେଲର କାର୍ଲ ନେହମେର ଏବଂ ପିଏମ୍ ମୋଦୀ ମିଳିତ ଭାବେ ଭାରତ ଏବଂ ଅଷ୍ଟ୍ରିଆର ଶିଳ୍ପପତିଙ୍କୁ ସମ୍ୱୋଧନ କରିବେ । ସରକାରୀ କାର୍ଯ୍ୟକ୍ରମ ବାହାରେ ପିଏମ୍ ମୋଦୀ ମସ୍କୋ ଏବଂ ଭିଏନାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ୱୋଧନ କରିବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.