ନୂଆଦିଲ୍ଲୀ: କଂଗ୍ରେସ ଅଫିସ୍ ବାହାରେ ବଲିଉଡ୍ ଅଭିନେତ୍ରୀ ଓ ତାଙ୍କ ବାପାଙ୍କୁ ମାଡ଼। ଗତକାଲି(୨୯ ସେପ୍ଟେମ୍ବର) ସନ୍ଧ୍ୟାରେ ଏଭଳି ଅପ୍ରିତିକର ଘଟଣା ଘଟିଛି। ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଅର୍ଚ୍ଚନା ଗୌତମ ଓ ତାଙ୍କ ବାପାଙ୍କୁ ମାଡ଼ ହୋଇଥିବା ସୂଚନା ମିଳିଛି।
ଅର୍ଚ୍ଚନା ଓ ତାଙ୍କ ବାପା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବଧେଇ ଜଣାଇବାକୁ ଯାଇଥିଲେ। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ଯୋଗୁ ବଧେଇ ଜଣାଇବାକୁ ଦିଲ୍ଲୀ କଂଗ୍ରେସ ଅଫିସ୍କୁ ଯାଇଥିଲେ ଅର୍ଚ୍ଚନା ଓ ତାଙ୍କ ବାପା। ଏହି ସମୟରେ କିଛି ମହିଳା କର୍ମୀ ତାଙ୍କୁ ଘେରି ଯାଇ ଅଫିସ ଭିତରକୁ ଛାଡ଼ି ନଥିଲେ। ତାଙ୍କ ଉପରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ହେଉଥିବା ଭିଡିଓରେ ମହିଳାମାନେ ଅର୍ଚ୍ଚନାଙ୍କ ଉପରେ ଚିଲ୍ଲାଉଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ବିଜେପି ନେତା ଶେହଜାଦ ପୁନାୱାଲା କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ କର୍ମୀ ହିଁ କଂଗ୍ରେସ ନେତ୍ରୀଙ୍କୁ ମାଡ଼ ମାରିଛନ୍ତି। କାରଣ ଅର୍ଚ୍ଚନା ପୂର୍ବରୁ ପରିବାରବାଦ ସୁପାରିଶ ଉପରେ ପ୍ରଶ୍ନ ଉଠାଇଥିଲେ ବୋଲି ପୁନାୱାଲା ଟ୍ୱିଟ୍ କରିଛନ୍ତି। ଘଟଣାରେ ଅର୍ଚ୍ଚନା ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସହ ଘଟିଥିବା ଘଟଣାକୁ ସେ ‘ଅନ୍ ରୋଡ୍ ରେପ୍’ (ବିଚ୍ ରାସ୍ତାରେ ଦୁଷ୍କର୍ମ) ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେମାନେ(କଂଗ୍ରେସ କର୍ମୀ) ଗେଟ୍ ଖୋଲିଲେ ନାହିଁ କି ଆମକୁ ଅଫିସ ଭିତରକୁ ଯିବାକୁ ଦେଲେ ନାହିଁ। ଆମକୁ କୁହାଗଲା ଉପରୁ ନିର୍ଦ୍ଦେଶ ରହିଛି। ଆପଣଙ୍କ ପ୍ରବେଶ ନିଷେଧ। ତେବେ ଏହାର କାରଣ କ’ଣ ମୁଁ ଜାଣିପାରୁ ନାହିଁ ବୋଲି ଅର୍ଚ୍ଚନା କହିଛନ୍ତି।
{"width":840,"height":472}ଅର୍ଚ୍ଚନା ଆହୁରି କହିଛନ୍ତି ଯେ ଘଟଣା ସ୍ଥଳରୁ ଜୀବନ ବଞ୍ଚାଇ ମୁଁ ପଳାଇ ଆସିଲି। ତେବେ ସେ ସୁସ୍ଥ ଥିଲେ ବି ତାଙ୍କ ବାପା ଓ ଡ୍ରାଇଭର ଆହତ ଅଛନ୍ତି। ଖୁବ୍ଶୀଘ୍ର ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। ତେବେ ତାଙ୍କ ବାପା ଥାନାରେ ଅଭିଯୋଗ କରିପାରନ୍ତି ବୋଲି କୁହାଯାଉଛି। ଅର୍ଚ୍ଚନା ଜଣେ କଂଗ୍ରେସ ନେତ୍ରୀ। ସେ ପ୍ରିୟଙ୍କା ଗାନ୍ଧୀଙ୍କ ମେ ଲଡ଼କୀ ହୁଁ ଅଭିଯାନ୍ର ପୋଷ୍ଟର ଗାର୍ଲ ଭାବରେ ବେଶ୍ ପରିଚିତ ଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ପୂର୍ବରୁ ଅର୍ଚନାଙ୍କ ବାପା ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ସହାୟକ ସନ୍ଦୀପ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇ ଥାନାରେ ମାମଲା କରିଥିଲେ। ସନ୍ଦୀପ ଅର୍ଚ୍ଚନାଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ଜାତିଆଣା ଗାଳି ବି ଦେଇଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଥିଲେ।