Champions Trophy Final: ଫାଇନାଲରେ ଭାରତ ପହଞ୍ଚିବା ପରେ TV ବିଜ୍ଞାପନ ମୂଲ୍ୟ ଆକାଶ ଛୁଆଁ

Published By : Prameya-News7 Bureau | March 08, 2025 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ । ଫାଇନାଲ୍‌ରେ ଭାରତ ପହଞ୍ଚିବା ପରେ ଟିଭି ବିଜ୍ଞାପନ ରେଟ୍ ଆକାଶ ଛୁଇଁଛି । ରବିବାର ହେବାକୁ ଥିବା ଏହି ଫାଇନାଲ୍ ମ୍ୟାଚ୍ ପାଇଁ ବିଜ୍ଞାପନ ମୂଲ୍ୟରେ ଅତି କମରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ଫାଇନାଲରେ ପହଞ୍ଚିବା ପରେ ଟେଲିଭିଜନ, କନକ୍ଟେଡ୍ ଟିଭି (ସିଟିଭି) ଓ ଡିଜିଟାଲ୍ ପ୍ଲାଟଫର୍ମରେ ବିଜ୍ଞାପନ ମୂଲ୍ୟରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । 

ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ ଜେନିଥ୍ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ତ୍ରିଶୂଳ ଭୂମକର କହିଛନ୍ତି ଯେ ଭାରତ ଯେବେ ବି କୌଣସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଲେ ବିଜ୍ଞାପନ ଚାହିଦା ଓ ମୂଲ୍ୟ  ବୃଦ୍ଧି ପାଇଥାଏ । ଏଫସିବି କାଇନେକ୍ଟ ଆଣ୍ଡ ଏଫସିବି/ସିକ୍ସ ଇଣ୍ଡିଆର ମୁଖ୍ୟ ବ୍ୟବସାୟ ଅଧିକାରୀ ଅଙ୍କିତ୍ ବଙ୍ଗା କହିଛନ୍ତି, ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିବା ପରେ ଅନ୍ୟ ମ୍ୟାଚ୍ ତୁଳନାରେ ଟିଭିରେ ୧୦ ସେକେଣ୍ଡ ସ୍ଲଟ୍ ବିଜ୍ଞାପନ ମୂଲ୍ୟରେ ୪୦ ପ୍ରତିଶତ ଯାଏ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ମୁକାବିଲା ପାଇଁ ସିଟିଭିରେ ୧୦ ସେକେଣ୍ଡ ଯାଏ ବିଜ୍ଞାପନ ପ୍ରସାରଣ ପାଇଁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଏହି ମୂଲ୍ୟ ୧୭ରୁ ୧୮ ଲକ୍ଷ ଟଙ୍କା ଥିଲା । ସେହିପରି ଡିଜିଟାଲ୍ ମିଡିୟମରେ ପ୍ରତ୍ୟେକ ୧୦୦୦ ଇମ୍ପ୍ରେସନ (ସିପିଏମ) ପାଇଁ ବିଜ୍ଞାପନ ମୂଲ୍ୟ ୪୦୦ରୁ ୬୦୦ ଟଙ୍କା ରହିଛି । ଟୁର୍ଣ୍ଣାମେଣ୍ଟରେ ଅନ୍ୟ ମ୍ୟାଚ୍ ବେଳେ ଏହି ମୂଲ୍ୟ ୧୦୦ରୁ ୨୦୦ ଟଙ୍କା ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.