ଦୁବାଇ, ୯/୩: ରବିବାର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ । ଏହି ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମହାମୁକାବିଲା । ଆୟୋଜକ ପାକିସ୍ତାନ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ବଡ଼ ଦଳ ନାହାନ୍ତି । ତଥାପି ଦର୍ଶକରେ ଉଚ୍ଛୁଳୁଛି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍ । ଖାଲି ମ୍ୟାଚ୍ ଦେଖିବା ପାଇଁ ନୁହେଁ ବେଟିଂ ପାଇଁ ମଧ୍ୟ ଦୁବାଇରେ ଭିଡ଼ ଜମୁଛି ବୁକିଙ୍କ ଭିଡ଼ । ବିଶ୍ୱର ବୁକି ଦୁବାଇରେ ଏବେ ଡେରା ପକାଇଛନ୍ତି ।
କେବଳ ଫାଇନାଲ୍ ମ୍ୟାଚ୍ ପାଇଁ ୫୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେଟିଂ ହୋଇଛି । ବେଟିଂରେ କୁଖ୍ୟାତ୍ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଡି’ କମ୍ପାନୀର ଲିଙ୍କ୍ ମଧ୍ୟ ରହିଛି । ଫାଇନାଲ୍ ମ୍ୟାଚ୍ରେ ଭାରତର ବିଜୟ ପଛରେ ସର୍ବାଧିକ ଅର୍ଥ ଲାଗିଥିବା ଜଣା ପଡ଼ିଛି । ଗତ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ ମୁକାବିଲା ସମୟରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ୫ଜଣ ବୁକିଙ୍କୁ ଗିରଫ କରିବା ପରେ ସବୁ ଖବର ସାମ୍ନାକୁ ଆସିଛି । ପ୍ରବୀଣ କୋଚର ଓ ସଞ୍ଜୟ କୁମାର ନାମକ ୨ଜଣ ବୁକି ଭାରତ-ଅଷ୍ଟ୍ରେଲିଆ ସେମି ମ୍ୟାଚ୍ରେ ବେଟିଂ ଚଳାଇଥିବା ସମୟରେ ଧରା ପଡ଼ିଥିଲେ । ଉଭୟଙ୍କ ଠାରୁ କ୍ରାଇମବ୍ରାଞ୍ଚ ସମସ୍ତ ଇଲେକଟ୍ରୋନିକ୍ ସରଞ୍ଜାମ ଜବତ କରିଛି ।
ରିପୋର୍ଟ ଅନୁଯାୟୀ, ପ୍ରବୀଣ ଏକ ବେଟିଂ ‘ଲକି ଡଟ୍-କମ୍’ ନାମକ ୱେବ ସାଇଟ୍ରୁ ମାଷ୍ଟର ଆଇଡି କିଣିବା ପରେ ଭିନ୍ନ ଭିନ୍ନ ବେଟିଂ ଆଇଡି ପ୍ରସ୍ତୁତ କରି ବିକ୍ରି କରୁଥିଲା । ଏଥିପାଇଁ ସେ ପ୍ରତି ବେଟିଂ ପଛରେ ୩% କମିଶନ ନେଉଥିଲା । ଅଫ-ଲାଇନ୍ ବେଟିଂ ପାଇଁ ଟେଲିଫୋନ ବ୍ୟବହାର କରାଯାଉଥିଲା । ଗତ ୨ ବର୍ଷ ଧରି ପ୍ରବୀଣ ଦିଲ୍ଲୀରେ ମାସିକ ୩୦,୦୦୦ ଟଙ୍କାର ଏକ ଘର ଭଡ଼ା ନେଇ ବେଟିଂ କରୁଥିଲା । ପ୍ରତି ମ୍ୟାଚ୍ରେ ସେ ୪୦,୦୦୦ ଟଙ୍କା ଆୟ କରୁଥିଲା । ସମସ୍ତ ବେଟିଂ ନେଟ୍ୱର୍କ ଦୁବାଇରେ ନିୟନ୍ତ୍ରିତ ହେଉଥିବା ଜେରା ସମୟରେ ପ୍ରବୀଣ ପ୍ରକାଶ କରିଛି । ସେହିପରି ପଶ୍ଚିମ ଦିଲ୍ଲୀର ବାସିନ୍ଦା ଛୋଟୁ ବଂଶଲ କାନାଡ଼ାରେ ଏକ ବେଟିଂ ଆପ ପ୍ରସ୍ତୁତ କରିଥିଲା । ବର୍ତ୍ତମାନ ସେ ଦୁବାଇରେ ରହୁଛି । ବୁକିମାନଙ୍କୁ ସେ ନିଜ ଦ୍ୱାରା ପ୍ରସ୍ତୁତ ଆପ୍ ଭଡ଼ାରେ ଦେଉଛି ଓ ଅର୍ଥ ରୋଜଗାର କରୁଛି ।
ବିନୟ ନାମକ ଦିଲ୍ଲୀର ମୋତି ନଗର ବାସିନ୍ଦା ସମ୍ପ୍ରତି ଦୁବାଇରେ ରହି ସମସ୍ତ ମ୍ୟାଚ୍ ଦେଖୁଛି ଓ କ୍ରିକେଟ୍ ଗ୍ରାଉଣ୍ଡ ଖବର ବୁକିଙ୍କ ନିକଟରେ ପହଞ୍ଚାଉଛି । ଗିରଫ ହୋଇଥିବା ଅନ୍ୟ ୩ ବୁକି ମନୀଷ ସାହାଣୀ, ଯୋଗେଶ କୁକେଜା ଓ ସୂରଜଙ୍କର ମଧ୍ୟ ଦୁବାଇ ଲିଙ୍କ୍ ରହିଛି । ସେମାନଙ୍କ ଠାରୁ ୨୨ଲକ୍ଷ ଟଙ୍କା ଜବତ କରାଯାଇଛି । ସମ୍ପୂର୍ଣ୍ଣ ଗ୍ୟାଙ୍ଗ୍ର ମୁଖିଆ ମନୀଷ ଦିଲ୍ଲୀରେ ବସି ବେଟିଂ ପରିଚାଳନା କରୁଥିଲା ।