ରୋହିତ୍‌ଙ୍କ ଫିଟ୍‌ନେସ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ, ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ କଂଗ୍ରେସ ନେତ୍ରୀ କ'ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | March 09, 2025 IST

ନୂଆଦିଲ୍ଲୀ: ଅଧିନାୟକ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ଫାଇନାଲରେ ଚାରି ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ଉଠାଇଛି । ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ ଟିମ୍‌କୁ ନେଇ ୧୪୦ କୋଟି ଭାରତୀୟ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତେ ରୋହିତ୍ ବାହିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାରି ଭିତରେ ରୋହିତ୍ ଶର୍ମାଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦଙ୍କ ପ୍ରତିକ୍ରିୟା ବି ସାମନାକୁ ଆସିଛି । ରୋହିତ୍ ଶର୍ମାଙ୍କୁ ପ୍ରଶଂସା କରିବା ସହ ସେ ଟିମ୍ ଇଣ୍ଟିଆକୁ ଶଭେଚ୍ଛା ଜଣାଇଛନ୍ତି ।

କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ଟିମ୍ ଇଣ୍ଡିଆକୁ ଚାମ୍ପିଅନ ଟ୍ରଫି ଜିତିବା ଓ ସେମାନଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଶୁଭେଚ୍ଛା । ୭୬ ରନ୍ କରି ମୂଳଦୂଆ ପକାଇଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ସଲାମ । ଶ୍ରେୟସ ଆୟର ଓ କେଏଲ୍ ରାହୁଲ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତକୁ ବିଜୟୀ କରାଇଛନ୍ତି । ଏହା ଏକ ସ୍ମରଣୀୟ ବିଜୟ ଥିଲା ।' ଉଲ୍ଲେଖଯୋଗ୍ୟ ଯେ ଏହି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ବେଳେ ଶମାଙ୍କ ଏକ ଟ୍ୱିଟ୍ ବେଶ ବିବାଦ ସୃଷ୍ଟି କରିଥିଲା ।

ଶମା ଏକ୍ସରେ ପୋଷ୍ଟ କରି ରୋହିତ ଶର୍ମାଙ୍କୁ 'ମୋଟା' ଓ 'ଅଣପ୍ରଭାବୀ' ଅଧିନାୟକ ବୋଲି କହିଥିଲେ । ବିବାଦ ଅଧିକ ହେବା ପରେ ସେ ପୋଷ୍ଟକୁ ହଟାଇ ନେଇଥିଲେ । କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କଠାରୁ ଆରମ୍ଭ ବିସିସିଆଇ ଅଧିକାରୀ ମାଧ୍ୟ ତାଙ୍କ ଟିପ୍ପଣୀକୁ ନିନ୍ଦା କରିବା ସହ ଅନାବଶ୍ୟକୀୟ ବୋଲି କହିଥିଲେ । 

ଆଜିର ମ୍ୟାଚ୍

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର । ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଡାରିଲ୍ ମିଚେଲଙ୍କ ୬୩ ରନ୍ ବଳରେ ୨୫୧ ରନ୍ କରିଥିଲା । ବଡ଼ ସ୍କୋର ହୋଇନଥିଲେ ବି ପିଚ୍ ଦେଖିବାକୁ ଗଲେ ଏହା ଚ୍ୟାଲେଞ୍ଜିଂ ଟୋଟଲ୍ ଥିଲା । 

ଟ୍ରଫି ଜିତିବା ପାଇଁ ଭାରତ ଆଗରେ ଥିଲା ୨୫୨ ରନ୍ ଲକ୍ଷ୍ୟ । ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ଶୁଭମନ୍ ଗିଲ୍ ଭାରତକୁ ଦେଇଥିଲେ ଦମଦାର ଆରମ୍ଭ । ଟୁର୍ଣ୍ଣାମେଣ୍ଟରେ ଚୁପ୍ ଥିବା ରୋହିତ୍‌ଙ୍କ ବ୍ୟାଟ୍ ଫାଇନାଲରେ ଗର୍ଜିଥିଲା । ଦ୍ୱିତୀୟ ବଲରେ ଛଅ ମାରି ନିଜ ଅଭିମୁଖ୍ୟ ସ୍ପଷ୍ଟ କରିସାରିଥିଲେ ରୋହିତ୍ । ୭୬ ରନ୍ କ୍ୟାପ୍ଟେନ୍ସି ଇନିଂସ ଖେଳି ଆଜିର ବିଜୟରେ ସାଜିଥିଲେ ନାୟକ । ରୋହିତ୍ ଓ ଗିଲଙ୍କ ମଧ୍ୟରେ ୧୦୫ ରନ୍ ପାର୍ଟନରଶିପ୍ ହୋଇଥିଲା । ତେବେ ବିରାଟ ଶୀଘ୍ର ଆଉଟ୍ ହୋଇ ଫେରିବା ପରେ ମଧ୍ୟକ୍ରମ ବ୍ୟାଟିଂ ସାମାନ୍ୟ ଦୋହଲିଥିଲା । ତଥାପି ଭାରତୀୟ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲା । ଭାରତ ପାଇଁ ଶୁଭମନ ଗିଲ୍ (୩୧), ଶ୍ରେୟସ ଆୟର (୪୮), କେଏଲ୍ ରାହୁଲ (୩୪), ଅକ୍ଷର ପଟେଲ (୨୯), ହାର୍ଦ୍ଦିକ ପାଣ୍ଡ୍ୟା (୧୮), ରବିନ୍ଦ୍ର ଜାଡେଜା (୯), ବିରାଟ କୋହଲି (୧) ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପାଇଁ ମିଚେଲ ବ୍ରାସୱେଲ ଓ ସାଣ୍ଟନର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.