Champions Trophy: ଫାଇନାଲରେ ରୋହିତଙ୍କ ବ୍ୟାଟ୍‌ରୁ ରେକର୍ଡ, ICC ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରଥମ ୫୦+ ରନ୍

Published By : Prameya-News7 Bureau | March 09, 2025 IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳାଯାଉଛି । ୨୫ ବର୍ଷ ପରେ ଦୁଇ ଟିମ୍ ଆଇସିସିର ସୀମିତ ଓଭରର କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି । ଭାରତ ସାମନାରେ ନ୍ୟୁଜିଲାଣ୍ଡ ୨୫୨ ରନ୍ ବିଜୟ ଲକ୍ଷ୍ୟ ଦେଇଛି । ଏହି ରନ୍‌ର ପିଛା କରି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ୭୬ ରନ୍ ପାଭିଲିଅନ୍ ଫେରିଛନ୍ତି ।

ଏବେ ସୁଦ୍ଧା ଆଇସିସି ଟୁର୍ଣ୍ଣାମେଣ୍ଟର ଛଅ ଫାଇନାଲ୍ ଖେଳିଥିବା ରୋହିତ୍ ଶର୍ମାଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକ ବାହାରି ନଥିଲା । ଏବେ ସେ ନିଜ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଏଥିରେ ବି ସୁଧାର କରି ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି ।

ଏହି ଫାଇନାଲ୍ ପୂର୍ବରୁ ରୋହିତ୍ ୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲ୍, ୨୦୧୩ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍, ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲ୍, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍, ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ଏବଂ ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଖେଳିଛନ୍ତି । ରୋହିତ୍ ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୦ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିଲା । ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ରୋହିତ୍ ଇଂଲଣ୍ଡ ବିପକ୍ଷରେ ୯ ରନ୍ କରିଥିଲେ । ୨୦୧୪ ଟି-୨୦ ବିଶ୍ୱକପ ଫାଇନାଲ୍‌ରେ ରୋହିତ୍ ଶ୍ରୀଲଙ୍କା ବିପକ୍ଷରେ ୨୯ ରନ୍ କରିଥିଲେ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ରୋହିତ୍ ପାକିସ୍ତାନ ବିପକ୍ଷରେ ଖାତା ଖୋଲିପାରି ନଥିଲେ । ୨୦୨୩ ଦିନିକିଆ ବିଶ୍ୱକପରେ, ରୋହିତ୍ ଅଷ୍ଟ୍ରେଲିଆ ବିପକ୍ଷରେ ୪୭ ରନ୍ କରିଥିଲେ । ୨୦୨୪ ଟି-୨୦ ବିଶ୍ୱକପରେ ବି ହିଟ୍‌ମ୍ୟାନ୍ କିଛି ବିଶେଷ କରିପାରି ନଥିଲେ ଏବଂ ମାତ୍ର ନଅ ରନ୍ କରି ଆଉଟ୍ ହୋଇଥିଲେ ।

ଚାମ୍ପିଅନ୍ସ ଟ୍ରଫିରେ ଅଧିନାୟକ ଭାବରେ ୫୦ରୁ ଅଧିକ ରନ୍ କରିବାରେ ଦ୍ୱିତୀୟ ଭାରତୀୟ 

ହିଟମ୍ୟାନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ୫୦ରୁ ଅଧିକ ରନ୍ କରିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ନାଁରେ ଏହି କୀର୍ତ୍ତମାନ ରହିଥିଲା । ଗାଙ୍ଗୁଲି ୨୦୦୦ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୭ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ସୂଚୀରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିଆ ତୃତୀୟ ସ୍ଥାନରେ ଅଛନ୍ତି । ୨୦୦୨ ମସିହାରେ ଭାରତ ବିପକ୍ଷରେ ୭୪ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକାର ହାନ୍ସି କ୍ରୋଞ୍ଜେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୧ ରନ୍ କରିଥିଲେ ।  

Also Read: Champions Trophy: ଟୁର୍ଣ୍ଣାମେଣ୍ଟରେ ୧୧ କ୍ୟାଚ୍ ଛାଡ଼ିଛନ୍ତି ଭାରତୀୟ ଖେଳାଳି, ଫାଇନାଲ୍‌ରେ ସମାନ ସ୍ଥିତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.