ରୋହିତଙ୍କ ରେକର୍ଡ ବର୍ଷା: ଧୋନୀଙ୍କୁ ଅନୁକରଣ କରି ଗାଙ୍ଗୁଲି ଓ କପିଲ ଦେବଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | March 09, 2025 IST

indiatoday

ନୂଆଦିଲ୍ଲୀ: ରବିବାର (୯ ମାର୍ଚ୍ଚ) ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତକୁ ବିଜୟୀ କରାଇ ଭାରତୀୟ ରେକର୍ଡ ବୁକ୍‌ରେ ନିଜ ଲିପିବଦ୍ଧ କରିଛନ୍ତି ଅଧିନାୟକ ରୋହିତ ଶର୍ମା। ନ୍ୟୁଜିଲାଣ୍ଡର ୨୫୨ ରନ୍‌କୁ ପିଛା କରୁଥିବା ଭାରତ ୪୯ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଆଜିର ମ୍ୟାଚ୍‌ରେ ବିଜୟ ଚୌକା ମାରିଥିଲେ ରବିନ୍ଦ୍ର ଜାଡେଜା।

ଏହି ବିଜୟ ପରେ, ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ କ୍ୟାପ୍ଟେନ ଭାବେ ଦୁଇଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୨୪ରେ ବାରବାଡୋସରେ ଆଇସିସି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା। ରୋହିତଙ୍କ ପୂର୍ବରୁ, ଏମଏସ ଧୋନି (୩), ସୌରଭ ଗାଙ୍ଗୁଲି (୧) ଏବଂ କପିଲ ଦେବ (୧) ମଧ୍ୟ ଭାରତକୁ ଆଇସିସି ଟ୍ରଫି ବିଜୟୀ କରାଇଛନ୍ତି।

ପଢନ୍ତୁ- Champions Trophy: ଫାଇନାଲରେ ରୋହିତଙ୍କ ବ୍ୟାଟ୍‌ରୁ ରେକର୍ଡ, ICC ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରଥମ ୫୦+ ରନ୍

ଦୁବାଇରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ କ୍ୟାପ୍ଟେନ ରୋହିତ ଶର୍ମା ଆଜି ୭୬ ରନ୍‌ର ବଡ଼ ଇନିଂସ୍‌ ଖେଳିଥିଲେ। ଯେଉଁଥିରେ ସେ ୭ଟି ଚୌକା ଓ ୩ ଛକ୍କା ମାରିଥିଲେ। ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ରୋହିତ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ୨୦୧୩ ଚାମ୍ପିୟନ ଟ୍ରଫି ଫାଇନାଲ୍‌ରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା। ୨୦୧୩ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା।

ପଢନ୍ତୁ- ସମାଲୋଚନା ପରେ ବି କାହିଁକି ଆକ୍ରମଣାତ୍ମକ ବ୍ୟାଟିଂରେ ପରିବର୍ତ୍ତନ କରି ନଥିଲେ ରୋହିତ: ଟ୍ରଫି ଜିତିବା ପରେ କଲେ ଖୁଲାସା

ରୋହିତ ପ୍ରଥମ ଅନ୍ତର୍ଜାତୀୟ ଅଧିନାୟକ ଭାବେ ଦଳକୁ ସମସ୍ତ ଚାରୋଟି ପ୍ରମୁଖ ଆଇସିସି ଇଭେଣ୍ଟ- ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩, ଦିନିକିଆ ବିଶ୍ୱକପ ୨୦୨୩, ଟି-୨୦ ବିଶ୍ୱକପ୨୦୨୪ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ପହଞ୍ଚାଇଛନ୍ତି। ଯାହା ଏକ ବିଶ୍ୱ ରେକର୍ଡ। ତାଙ୍କ ପୂର୍ବରୁ କୌଣସି କ୍ୟାପ୍ଟେନ୍ ଏଭଳି ରେକର୍ଡ କରି ନାହାନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ଯଦିଓ ପରାସ୍ତ ହୋଇଥିଲା। ହେଲେ ଟି-୨୦ ବିଶ୍ୱକପ୍ ଓ ଏବେ ଚାମ୍ପିୟନ ଟ୍ରଫି ଜିତି ସେ ପରାଜୟ ଘା ଭରି ଦେଇଛନ୍ତି।  


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.