ନୂଆଦିଲ୍ଲୀ: ଫାଇନାଲର ପ୍ରତିଶୋଧ ଫାଇନାଲରେ ପୂରଣ । ୨୫ ବର୍ଷ ତଳର ବଦଲା ନେଲ୍ ଟିମ୍ ଇଣ୍ଡିଆ । ୧୨ ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ । ବର୍ମିଂହମ ପରେ ଦୁବାଇରେ ହେଲା ଚାମ୍ପିଅନ୍ସ ଟ୍ରଫି ୱିନର । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଭାରତ ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ହରାଇ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ଉଠାଇଛି । ଫାଇନାଲ୍ରେ ରୋହିତଙ୍କ ୭୬ ରନ୍ ଇନିଂସ ଓ ଜାଡେଜାଙ୍କ ବ୍ୟାଟରୁ ବାହାରିଥିବା ୱିନିଂ ଫୋର୍ ଅବିସ୍ମରଣୀୟ ହୋଇ ରହିବ । ସେହିପରି କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଅଭୁଲା ରହିବ । ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ୍ ଭାରତରୁ ହରାଇ ଚମ୍ପିଅନ୍ ହୋଇଥିଲା । ଆଜିର ବିଜୟ ସହ ସେହି ପୁରୁଣା ପ୍ରତିଶୋଧ ପୂରଣ କରିଛି ରୋହିତ୍ ବାହିନୀ ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର । ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଡାରିଲ୍ ମିଚେଲଙ୍କ ୬୩ ରନ୍ ବଳରେ ୨୫୧ ରନ୍ କରିଥିଲା । ବଡ଼ ସ୍କୋର ହୋଇନଥିଲେ ବି ପିଚ୍ ଦେଖିବାକୁ ଗଲେ ଏହା ଚ୍ୟାଲେଞ୍ଜିଂ ଟୋଟଲ୍ ଥିଲା ।
ଟ୍ରଫି ଜିତିବା ପାଇଁ ଭାରତ ଆଗରେ ଥିଲା ୨୫୨ ରନ୍ ଲକ୍ଷ୍ୟ । ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ଶୁଭମନ୍ ଗିଲ୍ ଭାରତକୁ ଦେଇଥିଲେ ଦମଦାର ଆରମ୍ଭ । ଟୁର୍ଣ୍ଣାମେଣ୍ଟରେ ଚୁପ୍ ଥିବା ରୋହିତ୍ଙ୍କ ବ୍ୟାଟ୍ ଫାଇନାଲରେ ଗର୍ଜିଥିଲା । ଦ୍ୱିତୀୟ ବଲରେ ଛଅ ମାରି ନିଜ ଅଭିମୁଖ୍ୟ ସ୍ପଷ୍ଟ କରିସାରିଥିଲେ ରୋହିତ୍ । ୭୬ ରନ୍ କ୍ୟାପ୍ଟେନ୍ସି ଇନିଂସ ଖେଳି ଆଜିର ବିଜୟରେ ସାଜିଥିଲେ ନାୟକ । ରୋହିତ୍ ଓ ଗିଲଙ୍କ ମଧ୍ୟରେ ୧୦୫ ରନ୍ ପାର୍ଟନରଶିପ୍ ହୋଇଥିଲା । ତେବେ ବିରାଟ ଶୀଘ୍ର ଆଉଟ୍ ହୋଇ ଫେରିବା ପରେ ମଧ୍ୟକ୍ରମ ବ୍ୟାଟିଂ ସାମାନ୍ୟ ଦୋହଲିଥିଲା । ତଥାପି ଭାରତୀୟ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲା । ଭାରତ ପାଇଁ ଶୁଭମନ ଗିଲ୍ (୩୧), ଶ୍ରେୟସ ଆୟର (୪୮), କେଏଲ୍ ରାହୁଲ (୩୪), ଅକ୍ଷର ପଟେଲ (୨୯), ହାର୍ଦ୍ଦିକ ପାଣ୍ଡ୍ୟା (୧୮), ରବିନ୍ଦ୍ର ଜାଡେଜା (୯), ବିରାଟ କୋହଲି (୧) ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପାଇଁ ମିଚେଲ ବ୍ରାସୱେଲ ଓ ସାଣ୍ଟନର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ
ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର । ଦୁଇ ଓପନରଙ୍କ ଦ୍ୱାରା ଭଲ ଷ୍ଟାର୍ଟ ମଧ୍ୟ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ପାର୍ଟନରଶିପ୍ ହୋଇଥିଲା । ତେବେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ସ୍ପିନକୁ ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଖେଳିପାରି ନଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇ ଚାଲିଥିଲା । ନ୍ୟୁଜିଲାଣ୍ଡ ପାଇଁ ଡାରିଲ୍ ମିଚେଲ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଅଲରାଉଣ୍ଡର ମିଚେଲ ବ୍ରାସୱେଲ ଧୂଆଁଧାର ବ୍ୟାଟିଂ କରି ୪୦ ବଲ ଖେଳି ୧୩୨ ଷ୍ଟ୍ରାଇକରେଟ୍ ସହ ୫୧ ରନ୍ କରି ଅପରାଜିତ ରହିଥିଲେ । ଗ୍ଲେନ୍ ଫିଲିପ୍ସ (୩୪), ରଚିନ ରବିନ୍ଦ୍ର (୩୭), କେନ୍ ୱିଲିୟମସନ୍ (୧୧), ୱିଲ୍ ୟଙ୍ଗ (୧୫), ଟମ୍ ଲାଥମ୍ (୧୪) ରନ୍ କରି ଆଉଟ୍ ହୋଇଥିଲେ ।
ଭାରତ ପାଇଁ ଦୁଇ ଫ୍ରଣ୍ଟଲାଇନ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ କୁଳଦୀପ ଯାଦବ ଆଶାନୁରୂପକ ପ୍ରଦର୍ଶନ କରିଥିଲେ । ଦୁହେଁ ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ବ୍ୟାଟିଂକୁ ଧରାଶାୟୀ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪.୫୦ ହାରରେ ୪୫ ରନ୍ ଦେଇ ୱିଲ୍ ୟଙ୍ଗ୍ ଓ ଗ୍ଲେନ୍ ଫିଲିପ୍ସଙ୍କ ପରି ଦୁଇଟି ମୂଲ୍ୟବାନ ୱିକେଟ୍ ନେଇଥିଲେ । ସେହିପରି କୁଲଦୀପ ଯାଦବ ମ୍ୟାଚ୍ରେ ନିଜର ପ୍ରଥମ ଓଭର ପ୍ରଥମ ବଲ୍ରେ ନ୍ୟୁଜିଲାଣ୍ଡର ଇନ୍ଫର୍ମ ବ୍ୟାଟ୍ର ରଚିନ୍ ରବିନ୍ଦ୍ରଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହାପରେ ଅଭିଜ୍ଞ କେନ୍ ୱିଲିୟମସନଙ୍କ ବି ୱିକେଟ୍ ନେଇଥିଲେ ।