ନୂଆଦିଲ୍ଲୀ: ସୁଖଜିତ ସିଂଙ୍କ ଦମଦାର ଦୁଇଟି ଗୋଲ୍ ବଳରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ସୋମବାର ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ସୁଖଜିତ(୨ୟ ମିନିଟ ଓ ୬୦ତମ ମିନିଟ୍), ଅଭିଷେକ(୩ୟ ମିନିଟ୍), ସଞ୍ଜୟ(୧୭ତମ ମିନିଟ୍) ଓ ଉତ୍ତମ ସିଂ(୫୪ତମ ମିନିଟ୍)ରେ ଗୋଲ୍ ଦେଇ ଭାରତକୁ ଏକତରଫା ବିଜୟ ଦେଇଛନ୍ତି। ଜାପାନ ପକ୍ଷରୁ ମାତ୍ସୁସୋତୋ କାଜୁମାସା(୪୧ ତମ ମିନିଟ୍) ଏକ ମାତ୍ର ଗୋଲ୍ ଦେବାରେ ସଫଳ ହୋଇଥିଲେ। ଚାରି ଥରର ଚାମ୍ପିଅନ ଭାରତ ପ୍ରଥମ ମ୍ୟାଚ୍ରେ ଚୀନକୁ ୩-୦ରେ ହରାଇଥିଲା। ହରମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ମଙ୍ଗଳବାର ବିଶ୍ରାମ ପରେ ବୁଧବାର ଗତ ସଂସ୍କରଣର ଉପ ବିଜେତା ମାଲେସିଆକୁ ଭେଟିବ।
Also read: ପାକିସ୍ତାନରେ ହେବ ଚାମ୍ପିଅନ୍ସ ଟ୍ରଫି, ପାକିସ୍ତାନ କଣ୍ଟ୍ରୋଲ ବୋର୍ଡର ଦାବି
ଭାରତ ମ୍ୟାଚ୍ର ଦ୍ଵିତୀୟ ମିନିଟ୍ରେ ସୁଖଜିତଙ୍କ ଦମଦାର ଫିଲ୍ଡ ଗୋଲ୍ ବଳରେ ଅଗ୍ରଣୀ ହାସଲ କରିଥିଲା। ପୁଣି ଅଭିଷେକଙ୍କ ଚମତ୍କାର ଗୋଲ୍ ବଳରେ ଭାରତ ୨-୦ରେ ଆଗୁଆ ରହିଥିଲା। ଦ୍ଵିତୀୟ କ୍ଵାର୍ଟରରେ ବି ଭାରତର ଆକ୍ରମଣ ଜାରି ରହିଥିଲା ଏବଂ ୧୭ତମ ମିନିଟ୍ରେ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ବଦଳାଇ ଦେଇଥିଲେ। ଖେଳର ହାପ୍ ଟାଇମ୍ ସୁଦ୍ଧା ଭାରତ ୩-୦ରେ ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଥିଲା। ଜାପାନ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ରହିଥିଲା।
ଜାପାନ ପକ୍ଷରୁ ମାତ୍ସୁସୋତୋ କାଜୁମାସା(୪୧ ତମ ମିନିଟ୍) ଏକ ମାତ୍ର ଗୋଲ୍ ଦେବାରେ ସଫଳ ହୋଇଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ତୃତୀୟ କ୍ଵାର୍ଟରରେ ଜାପାନ ପକ୍ଷରୁ ଏକମାତ୍ର ଗୋଲ୍ ହୋଇଥିଲା। ଚତୁର୍ଥ କ୍ଵାର୍ଟରରେ ଭାରତ ଆହୁରି ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଉତ୍ତମ ସିଂ(୫୪ତମ ମିନିଟ୍) ଏବଂ ଖେଳର ଶେଷ ମିନିଟ୍ରେ ସୁଖଜିତ ଗୋଲ୍ ଦେଇ ଭାରତକୁ ୫-୧ରେ ସହଜ ବିଜୟ ଦେଇଛନ୍ତି।