ନୂଆଦିଲ୍ଲୀ ୧୪।୦୧: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର । ପଞ୍ଜାବ କିଙ୍ଗସର ହେଲେ ନୂଆ ଅଧିନାୟକ । ଆଇପିଏଲର ୨୦୨୫ ସିଜିନ୍ରେ ଆୟର ସମ୍ଭାଳିବେ ପଞ୍ଜାବ ଦଳର ନେତୃତ୍ୱ । ପୂର୍ବରୁ ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ର ଟାଇଟଲ ହାତେଇଥିଲା । ତଥାପି ମେଗା ନିଲାମ ପୂର୍ବରୁ ତାଙ୍କୁ KKR ରିଲିଜ୍ କରିଥିଲା। ଏହାପରେ ପଞ୍ଜାବ ଆଇପିଏଲ ୨୦୨୫ ମେଗା ନିଲାମରେ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ କରିଥିଲା ସାଇନ୍ ।
ଏବେ ପଞ୍ଜାବ କିଙ୍ଗସର କ୍ୟାପଟେନ୍ ହେବା ପରେ ନୂଆ ଇତିହାସ ରଖିଛନ୍ତି ଶ୍ରେୟସ ଆୟର । ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ୩ଟି ଆଇପିଏଲ ଦଳରେ ଅଧିନାୟକତ୍ବ ଭାର ସମ୍ଭାଳିଛନ୍ତି । ଏକମାତ୍ର ଖେଳାଳି ଭାବେ ଶ୍ରେୟାସ ଆୟର ଭିନ୍ନ ଦଳର ଅଧିନାୟକ ଭାବେ ଫାଇନାଲ ଖେଳିଛନ୍ତି । ଆୟରଙ୍କ ପୂର୍ବରୁ ମାତ୍ର ୨ ଜଣ ଖେଳାଳି ୩ଟି ଭିନ୍ନ ଦଳର ନେତୃତ୍ବ ନେଇଛନ୍ତି । ମାତ୍ର ଭାରତୀୟ ନୁହଁନ୍ତି । ସେମାନେ ହେଲେ ଶ୍ରୀଲଙ୍କାର ଜୟବର୍ଦ୍ଧନ ଓ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ । ୧୭ତମ ଖେଳାଳି ଭାବେ ପଞ୍ଚାବ କିଙ୍ଗସରେ ନେତୃତ୍ବ ନେଇଛନ୍ତି ଶ୍ରେୟାସ ଆୟର । ସେ ୧୨ତମ ଫୁଲ ଟାଇମ ଅଧିନାୟକ ହୋଇଛନ୍ତି ।
ଶ୍ରେୟସ ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍ରେ ପଦାର୍ପଣ କରିଥିଲେ । ୨୦୧୮ରେ ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ ସିଜନରେ ଫାଇନାଲ୍ ଖେଳି ରନର୍ସ ଅପ୍ ହୋଇଥିଲା । ସେ ୩ଟି ସଂସ୍କରଣରେ ଦଳକୁ ପ୍ଲେ-ଅଫ୍ରେ ପହଞ୍ଚାଇବାରେ ସଫଳ ହୋଇଥିଲେ ।
ଆଇପିଏଲ ୨୦୨୪ରେ ତାଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ଚମ୍ପିଅନ ହୋଇଥିଲା । ତେବେ ଆଇପିଏଲ୍ ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ ଆୟରଙ୍କୁ କିଣିଥିଲା । ସେ ଆଇପିଏଲ ଇତିହାସର ଦ୍ବିତୀୟ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।