ହକି ଇଣ୍ଡିଆ ଲିଗ୍; ଦିଲ୍ଲୀକୁ ହରାଇ ଡ୍ରାଗନ୍ସର ପଞ୍ଚମ ବିଜୟ, ମହିଳା ହକିରେ ସୁରମା କ୍ଲବ୍ ବିଜୟୀ

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ତାମିଲନାଡୁ ଡ୍ରାଗନ୍ସର ଚମତ୍କାର ପ୍ରଦର୍ଶନ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ୩-୨ ଗୋଲରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ ପରାସ୍ତ କରିଛି । ଏହା ସହିତ ଡ୍ରାଗନ୍ସ ପଏଣ୍ଟ ଟେବୁଲର  ଶୀର୍ଷ ସ୍ଥାନରେ ସ୍ଥିତିକୁ ଅଧିକ ସୁଦୃଢ଼ କରିଛି ।

ଦିଲ୍ଲୀ ଏସ୍‌ଜି ପିପର୍ସ ମ୍ୟାଚର ଦ୍ୱିତୀୟ ମିନିଟରେ ପ୍ରଥମ ଗୋଲ୍‌ ଦେଇଥିଲା । ଥୋମାସ  ଡୋମେନ ଏହି ଗୋଲ୍‌ ଦେଇ ଆରମ୍ଭରୁ  ଦଳକୁ ଅଗ୍ରଣୀ କରାଇଥିଲେ । ଷଷ୍ଠ ମିନିଟ୍‌ରେ ତାମିଲନାଡ଼ୁ ଡ୍ରାଗନ୍ସ ପକ୍ଷରୁ ଜିପ୍‌ ଜାନସେନ ପ୍ରଥମ ଗୋଲ୍‌ ଦେଇ ସ୍ଥିତିକୁ ବରାବର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଡ୍ରାଗନ୍ସ ଆଉ ୨ଟି  ଗୋଲ୍‌ ଦେବାରେ ସଫଳ ରହିଥିଲା । ୧୯  ମିନିଟରେ ନାଥନ ଏଫରାଉମସ ଏବଂ ୨୧  ମିନିଟରେ ବ୍ଲେକ ଗୋଭର୍ସ ଗୋଲ୍‌ ଦେଇଥିଲେ । ତେବେ ଦ୍ବିତୀୟାର୍ଦ୍ଧର ୩୭  ମିନିଟରେ ଦିଲ୍ଲୀ ଦ୍ୱିତୀୟ ଗୋଲ୍‌ ଦେଇ ଖେଳକୁ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ପରବର୍ତ୍ତୀ  ସମୟରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦିଲ୍ଲୀକୁ ଆଉ ସୁଯୋଗ ଦେଇନଥିଲେ ଡ୍ରାଗନ୍ସଙ୍କ ଖେଳାଳି ମାନେ । ଶେଷରେ ୩-୨ ଗୋଲରେ  ଅଗ୍ରଣୀ ସହ ଡ୍ରାଗନ୍ସ ବିଜୟୀ ହୋଇଥିଲା ।  ଚଳିତ ସିଜିନରେ ଏ ପର୍ଯ୍ୟନ୍ତ ଡ୍ରାଗନ୍ସ ୬ଟି  ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ମୋଟ୍‌ ୧୫  ପଏଣ୍ଟ ପାଇଛି । ହାଇଦ୍ରାବାଦ ତୋଫାନ ସମାନ ମ୍ୟାଚ୍‌  ଖେଳି ୧୦ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ  ଏବଂ ୟୁପି ରୁଦ୍ରସ୍ ୫ଟି ମ୍ୟାଚରୁ ୯ ପଏଣ୍ଟ  ପାଇ ତୃତୀୟ ସ୍ଥାନରେ ରହିଛି । 

ସେପଟେ ମହିଳା ହକି ଇଣ୍ଡିଆ ଲିଗ୍‌ ର ଦ୍ୱିତୀୟ ମ୍ୟାଚ୍‌ରେ ସୁରମା ହକି କ୍ଲବ୍‌ ବିଜୟୀ  ହୋଇଛି । ଦଳ ୪-୧ ଗୋଲରେ ଶ୍ରାଚୀ ରାହ ବେଙ୍ଗଲ ଟାଇଗର୍ସକୁ ପରାଜିତ କରିଛି । ବେଙ୍ଗଲ ଟାଇଟର୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରି ସପ୍ତମ ମିନିଟରେ ଗୋଲ୍ ଖାତା ଖୋଲିଥିଲା । କିନ୍ତୁ ପରେ ଦଳର  ପ୍ରଦର୍ଶନ ଦୁର୍ବଳ ରହିଥିଲା । ସୁରମା ଖେଳାଳି ତୃତୀୟ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରି କ୍ରମାନ୍ୱୟରେ ୪ଟି ଗୋଲ୍‌ ଦେଇ ମ୍ୟାଚ୍‌ ଜିତି ନେଇଥିଲେ ।  ଦଳ ପକ୍ଷରୁ ୩୮, ୪୨, ୪୪ ଓ ୪୭  ମିନିଟରେ ଗୋଲ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.