ମୁମ୍ବାଇ ୧୪।୦୧ : ଟିମ୍ ଇଣ୍ଡିଆରେ ଚାଲିଛି କି ବିବାଦ । କ୍ୟାପଟେନ୍ ଏବଂ କୋଚ୍ଙ୍କ ମଧ୍ୟରେ ହୋଇଛି କି ମନୋମାଲିନ୍ୟ । ଉଭୟଙ୍କ ମଧ୍ୟରେ ଚାଲିଛି କି ଅନ୍ତଃକଳହ । ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ଗୌତମ ଗମ୍ଭୀର, ସିଲେକ୍ଟର ଅଜିତ ଅଗରକରଙ୍କ ମଧ୍ୟରେ ଚାଲିଛି କି ମତଭେଦ । ଏପରି କିଛି କଥାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏସବୁ ବିବାଦ ଭିତରେ ବିସିସିଆଇ ଅଧିକାରୀ ରାଜୀବ ଶୁକ୍ଲାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ପ୍ରକାରର ବିବାଦ ହୋଇନାହିଁ । ଉଭୟଙ୍କ ମଧ୍ୟରେ ସଠିକ୍ ତାଳମେଳ ରହିଛି । ଟିମ୍ ପ୍ରଦର୍ଶନ କେତେବେଳେ ଉପରକୁ ଯାଏ, ତ କେତେବେଳେ ତଳକୁ ଖସିଥାଏ । ଏଥିପାଇଁ କୌଣସି ବିବାଦ ବର୍ତ୍ତମାନ ସମୟରେ ଟିମ୍ରେ ଦେଖାଯାଉନାହିଁ । ମିଡିଆରେ ଯେଉଁସବୁ କଥା ଚର୍ଚ୍ଚା ଏବଂ ଆଲୋଚନା ହେଉଛି । ତାହା ସଂପୂର୍ଣ୍ଣ ମିଥ୍ୟାହୀନ । ସେ କଥାରେ କୌଣସି ବି ବ୍ୟକ୍ତି ଗୁରୁତ୍ୱ ଦିଅନ୍ତୁନାହିଁ ।
ରାଜୀବ ଶୁକ୍ଲା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଡର-ଗାଭାସ୍କର ସିରିଜ୍ର ପରାଜୟ ପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚିନ୍ତନ କରାଯାଇଛି । କୋଚ୍, ସିଲେକ୍ଟର ଏବଂ ଅଧିନାୟକଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ହୋଇଛି । ଏହାସହିତ ଆଗାମୀ ଚମ୍ପିଆନ୍ସ ଟ୍ରଫି ନେଇ ମଧ୍ୟ ଆଲୋଚନା ହୋଇଛି । ୨୦୨୫ ଚମ୍ପିଆନ୍ସ ଟ୍ରଫିରେ କିପରି ଟିମ୍ ହେବ, ଆଉ ଆଗକୁ କଣ ସବୁ ରଣନୀତି ହେବ । ସେନେଇ ମାନସମନ୍ଥନ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ରାହୁଲ ଦ୍ରାବିଡ୍ଙ୍କ କୋଚ୍ ପଦରୁ ଅବ୍ୟାହତି ପରେ ଗୌତମ ଗମ୍ଭୀରଙ୍କ ଏହି ଦାୟିତ୍ୱ ମିଳିଥିଲା । ଗୌତମ ଗମ୍ଭୀର କୋଚ୍ ଦାୟିତ୍ୱ ସମ୍ଭାଳିବା ପରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୩-୦ରେ ଟେଷ୍ଟ ସିରିଜ୍ ହାରିଥିଲା । ଏହାପରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା ବର୍ଡର-ଗାଭାସ୍କର ସିରିଜ । ଯେଉଁଥିରେ ଭାରତ ୩-୧ରେ ପରାସ୍ତ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଖେଳିବା ଆଶା ମଉଳିଥିଲା । ତେବେ ବର୍ଡର-ଗାଭାସ୍କର ସିରିଜ୍ ମଧ୍ୟରେ ଟିମ୍ ମଧ୍ୟରେ କିଛି ବିବାଦ ଥିବାର ଚର୍ଚ୍ଚା ଗଣମାଧ୍ୟମକୁ ଆସିଥିଲା । ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀର ନିଜେ ପ୍ରେସମିଟ୍ କରି ସବିଶେଷ ତଥ୍ୟ ରଖିଥିଲେ । ତାପରେ ବି କୌଣସି ବିବାଦର ସମାଧାନ ହୋଇନଥିଲା । ଏବେବି କୋଚ-ଅଧିନାୟକ-ସିଲେକ୍ଟର ମଧ୍ୟରେ ବିବାଦ ଥିବା କଥା ଚର୍ଚ୍ଚା ହେଉଛି ।