ବାରିପଦା ୧୭।୬: ସ୍କୁଲ ଖୋଲିବା ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ୨୦ ତାରିଖରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ୧୮ ତାରିଖରେ ବେସରକାରୀ ସ୍କୁଲ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଯେଉଁ ଦ୍ବନ୍ଦ୍ବକୁ ଆଜି ଗଣଶିକ୍ଷା ମନ୍ତ୍ରୀ ଦୂର କରିଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ୯ ଜିଲ୍ଲାରେ ଡାଇରିଆ ସାଙ୍ଗକୁ ରାଜ୍ୟରେ କୋଭିଡ୍ ମଧ୍ୟ ସକ୍ରିୟ ରହିଛି । ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସ୍କୁଲ ପରିସରରେ ଯଥେଷ୍ଟ ସ୍ବଚ୍ଛତା ରଖାଯିବ । ଏହା ସହିତ ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବ । ହଇଜା ଭଳି ରୋଗ ରାଜ୍ୟରେ ବ୍ୟାପୁଥିବାରୁ ତାର ପ୍ରତିକାର ଲାଗି ମଧ୍ୟ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପିଲା ଖାଉଥିବା ମଧ୍ୟାହ୍ନ ଭୋଜନକୁ ଅଭିଭାବକମାନେ ଚାଖିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ମଧ୍ୟାହ୍ନ ଭୋଜନ ମାନ ପରଖିବେ ଅଭିଭାବକ । ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ । ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ବୈଠକ କରିବେ । ସ୍କୁଲରେ ମାନ ପରୀକ୍ଷଣ ରେଜିଷ୍ଟର ରହିବ । ଯେପରି ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ ଖାଦ୍ୟ ମିଳିବ ତା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ମଧ୍ୟାହ୍ନ ଭୋଜନରୁ କୌଣସି ଛାତ୍ରଛାତ୍ରୀ ବଞ୍ଚିତ ହେବେନି ବୋଲି ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି । ୨୦ରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଆସିବାକୁ ଥିବାବେଳେ ଏହାର ପୂର୍ବଦିନ ଅର୍ଥାତ୍ ୧୯ ତାରିଖରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକମାନେ ସ୍କୁଲ ଆସି ରୋଷେଇଶାଳ, ଖାଇବା ସ୍ଥାନ ସଫେଇ କରିବା ସହ ବୈଦ୍ୟୁତିକ ଉପକରଣ ଯାଞ୍ଚ କରିବେ ।
You Can Read:
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟବିଭାଗ