ଦିଲ୍ଲୀ ପ୍ରାଣୀ ଉଦ୍ୟନରେ ବନ୍ୟପ୍ରାଣୀଙ୍କ ପ୍ରତି ନିର୍ଯାତନା ଅଭିଯୋଗ, ଖାଇବା ଛାଡିଦେଇଛନ୍ତି ଭାଲୁ, ଭାଙ୍ଗିଛି ଚିତା ବଣ୍ଟିର ଦାନ୍ତ

Published By : Prameya-News7 Bureau | March 24, 2025 IST

ନୂଆଦିଲ୍ଲୀ ୨୪।୩: ଜାତୀୟ ପ୍ରାଣୀ ଉଦ୍ୟାନର ଅନ୍ତେବାସୀଙ୍କ ପ୍ରତି ନିର୍ଯାତନା ଅଭିଯୋଗ ଆସିଛି। କତେବେଳେ ଉଦ୍ୟାନ ଅନ୍ତେବାସୀଙ୍କୁ ପେଟ ପୁରା ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ହେଉଥିବା ବେଳେ ଆଉ କେତେବେଳେ ସେମାନଙ୍କୁ ଉଚିତ ଚିକିତ୍ସା କରାଯାଉନ ନଥିବାର ଅଭିଯୋଗ ହେଉଛି। ସେହିପରି ପ୍ରାଣୀ ଉଦ୍ୟନରେ ବଣ୍ୟାଜୀବଙ୍କ ଟିକାକରଣରେ କର୍ତ୍ତୃପକ୍ଷ ନୃଶଂସତା ଅବଲମ୍ବନ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ପରିସ୍ଥିତି ଏବେ ଏପରି ଯେ ଟିକାକରଣ କାଳରେ ବଳପ୍ରୟୋଗ ଯୋଗୁ ଚିତା ବଣ୍ଟିର ଦାନ୍ତ ଭାଙ୍ଗିଯାଇଛି। 

ନିୟମ ଅନୁସାରେ ଟିକାକରଣ ପୂର୍ବରୁ ବଣ୍ୟଜୀବଙ୍କୁ ପିଞ୍ଜରା ମଧ୍ୟକୁ ନେବା ଉଚିତ। ହେଲେ କର୍ମଚାରୀ ସାଧାରଣ ନୀତି ନିୟମ ମଧ୍ୟ ମାନୁ ନାହାନ୍ତି। ଏହି କ୍ରମରେ ଚିତା ବାଘ ବଣ୍ଟିକୁ ଲୁହା ସିଟ୍ ତଳେ ଦବାଇ ରଖି ଟିକାରଣ କରାଯାଇଥିଲା। ଫଳରେ ସେ ବିକଳରେ ତା ମୁହଁ ପାଖରେ ଥିବା ଏକ ଛଡକୁ ପାଟିରେ କାମୁଡି ଧରିଥିଲା। ଏଥିରେ ତାର ଏକ ଗୋଜିଆ ଦାନ୍ତ ଭାଙ୍ଗି ଯାଇଛି। ଏଣୁ ସେ ଖାଇବାକୁ ହଇରାଣ ହେଉଥିବା ଜଣାପଡିଛି। 

ଦୈନିକ ଜାଗରଣ ରିପୋର୍ଟ ଅନୁସାରେ କିଛିଦିନ ପୂର୍ବେ ପ୍ରାଣୀ ଉଦ୍ୟାନରେ ଏକ ବିରଳ ଜଙ୍ଗଲୀ କୁକର ଢୋଲର ମୃତ୍ୟୁ ହୋଇଛି। ଔଷଧ ଓଭର ଡୋଜ ଯୋଗୁ ତା ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ତେବେ ଉଦ୍ୟାନ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଢୋଲ ମୃତ୍ୟୁର କାରଣ ଜଣାପଡିବ ବୋଲି କହୁଛନ୍ତି। ପ୍ରାଣୀ ଉଦ୍ୟାନରେ କଳା ମାଇ ହରିଣ ପରସ୍ପର ସହ ଲଢାଲଢି ହୋଇ ଗୋଟିଏ ପ୍ରାଣ ହରାଇଛି। ଲଢେଇରେ ଦୁଇଟିଜାକ ହରିଣ ଆହତ ହୋଇଥିଲେ। ହେଲେ ପ୍ରାଣୀ ଉଦ୍ୟାନ ପକ୍ଷରୁ ସଠିକ ସମୟରେ ଚିକିତ୍ସା ସେବା ଯୋଗାଇ ନ ଦିଆଯିବା ଯୋଗୁ ଗୋଟିଏ ହରିଣର ମୃତ୍ୟୁ ହୋଇଛି। 

ଅନ୍ୟପକ୍ଷରେ ପ୍ରାଣୀ ଉଦ୍ୟାନରେ ରହୁଥିବା ସ୍ଲଥ ଭାଲୁ ମାନେ ଗତ କିଛି ଦିନ ହେଲା ଖାଦ୍ୟ ଖାଉ ନାହାନ୍ତି। ଉଦ୍ୟାନରେ ୩ଟି ସ୍ଲଥ ଭାଲୁ ଅଛନ୍ତି ଓ ୩ଜଣ ଜାକ ଅସୁସ୍ଥ। ରାଜଧାନୀ ଦିଲ୍ଲୀରେ ପାଗ ବଦଳିବା ଯୋଗୁ ସେମାନେ ଅସୁସ୍ଥ ହୋଇପଡିଛନ୍ତି, ଖାଦ୍ୟ ଖାଉ ନାହାନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ଦରକାର। ହେଲେ ଏ ଦିଗରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଧିର ମନ୍ଥର କାମ କରିବା ପ୍ରାଣୀ ପ୍ରେମୀଙ୍କୁ ଚକିତ କରିଛି। କୁହାଯାଉଛି ପ୍ରାଣୀ ଉଦ୍ୟାନ ରେ ବନ୍ୟଜୀବଙ୍କ ପ୍ରତି ଅସହିଷ୍ଣୁ ଆଚରଣ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.