ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ’ ସିନେମା ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଛି। ସିନେମାକୁ ଦେଖି ଭାରତୀୟ ସିନେ ସମୀକ୍ଷକମାନେ ନିଜ ନିଜର ମତ ଦେଉଥିବା ବେଳେ ସାଉଦି ଆରବରେ କିନ୍ତୁ ସିନେମାକୁ ସେନ୍ସରର ସାମ୍ନା କରିବାକୁ ପଡ଼ିଛି। ପୁଷ୍ପା-୨ରେ ହିନ୍ଦୁ ଦେବାଦେବୀଙ୍କୁ ଚିତ୍ରଣ କରାଯାଇଥିବାରୁ ଏହାର କିଛି ସିନ୍କୁ କାଟି ଦିଆଯାଇଛି।
ପୁଷ୍ପା-୨ ସିନେମାରେ ଗଙ୍ଗାମ୍ମା ଜାଥରା ସିନ୍ରେ ହିନ୍ଦୁ ଦେବାଦେବୀ କଥା ରହିଥିବାରୁ ଏହାକୁ କାଟି ଦିଆଯାଇଛି। ସାଉଦି ଆରବ୍ରେ ଏଡିଟ୍ କରି ଫିଲ୍ମରେ ମୋଟ ୧୯ ମିନିଟ୍ରେ ସିନ୍ କାଟି ଦିଆଯାଇଛି। ଧାର୍ମିକ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।
ପୁଷ୍ପା-୨ ସିନେମା ଭାରତରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ବିଦେଶରେ ଆଞ୍ଚଳିକ ମୂଲ୍ୟବୋଧକୁ ନେଇ ସିନେମାରେ ପରିବର୍ତ୍ତନ କରାଯାଇଛି। ବ୍ୟବସାୟିକ ବିଶ୍ଳେଷକ ମନୋବାଲା ବିଜୟବାଲାନ ଏକ୍ସରେ ପୋଷ୍ଟ କରି ସାଉଦି ଆରବରେ ସିନ କଟାଯାଇଥିବା କଥା ସୂଚନା ଦେଇଛନ୍ତି। ବିଜୟବଲାନ ଟ୍ୱିଟ୍ କରି ଲେଖିଛନ୍ତି “ ସାଉଦି ଆରବ ସେନସର ବୋର୍ଡ ପୁଷ୍ପା ସିନେମାର ଜଥାରା ଏପିସୋଡ୍କୁ କାଟି ଦେଇଛନ୍ତି। ଏକାଧିକ କଟ ଲଗାଇବା ପରେ ସିନେମାକୁ ୩ ଘଣ୍ଟା ୧ ମିନିଟ୍ର କରି ରିଲିଜ୍ କରିବାକୁ ଅନୁମତି ଦେଇଛନ୍ତି।”
ସିନେମାର ଗଙ୍ଗାମା ଜଥରା ସିନ୍ରେ ଅଲ୍ଲୁ ଅର୍ଜୁନ ଏକ ଶାଢ଼ି ପିନ୍ଧି ଗଙ୍ଗାମାଙ୍କୁ ପୂଜା କରୁଥିବାର ଦେଖାଯାଉଛି। ଏହି ସିନ୍ ହିଁ ସିନେମାର ହାଇଲାଇଟ୍ ପଏଣ୍ଟ। ଅବଶ୍ୟ ଏହି ସିନ ଆବଶ୍ୟକ ଠାରୁ ଅଧିକ ଲମ୍ବା ହୋଇଯାଇଛି। ଗଙ୍ଗମା ଜାଥରା ହେଉଛି ଏକ ପରମ୍ପରାଗତ ପର୍ବ ଯେଉଁଥିରେ କୂଳଦେବୀଙ୍କୁ ପୂଜା କରାଯାଏ। ବିଶେଷ କରି ତିରୁପତି, ଆନ୍ଧ୍ରପ୍ରଦେଶରେ ଏହି ପର୍ବ ପାଳନ କରାଯାଏ।