ଇସ୍ଲାମାବାଦ, ୨୬/୧୨: ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ପତନ ପରେ ଭାରତ ପାଇଁ ଚିନ୍ତା ବଢ଼ିଛି । ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚୁଛି ମହମ୍ମଦ ୟୁନୁସ୍ ସରକାର । ବାଂଲା ସେନାକୁ ଏଣିକି ସାମରିକ ତାଲିମ୍ ଦେବ ପାକିସ୍ତାନ ସେନା । ୧୯୭୧ ପରେ ପୁଣି ଥରେ ପାକ୍ ସେନା ବାଂଲାଦେଶରେ ଏଣ୍ଟ୍ରି ମାରିବାକୁ ଯାଉଛି । ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱରେ ବାଂଲାଦେଶରେ ଥିବା ଅନ୍ତରୀଣ ସରକାର ପାକିସ୍ତାନ ସହ ସାମରିକ ଏବଂ ରଣନୈତିକ ସମ୍ପର୍କ ବଢ଼ାଇବା ଦିଗରେ ଆଗେଇଛି । ଦୁଇ ପଡ଼ୋଶୀ ଦେଶର ଏଭଳି ବିରୋଧୀ ଆଭିମୁଖ୍ୟ ଭାରତ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ଫେବ୍ରୁଆରୀରୁ ପାକିସ୍ତାନୀ ସେନା ବାଂଲାଦେଶ ସେନାକୁ ତାଲିମ ଦେବା ଆରମ୍ଭ କରିବ । ପାକ୍ ଆର୍ମିର ଜଣେ ମେଜର ଜେନେରାଲ ରାଙ୍କ ଅଧିକାରୀଙ୍କ ନେତୃତ୍ୱାଧୀନ ସ୍ପେଶାଲ ଟିମ୍ ବାଂଲାଦେଶ ଆର୍ମିକୁ ଟ୍ରେନିଂ ଦେବ । ପ୍ରଥମ ପର୍ଯ୍ୟାୟରେ ମେମନଶାହି କେଣ୍ଟରେ ଆର୍ମି ଟ୍ରେନିଂ ଆଣ୍ଡ୍ ଡକ୍ଟରିନ୍ କମାଣ୍ଡ (ଏଟିଡିସି) ମୁଖ୍ୟାଳୟରେ ତାଲିମ ଦିଆଯିବ । ଏହା ପ୍ରାୟ ବର୍ଷେ ଧରି ଚାଲିବ । ଏହା ପରେ ପାକ୍ ଆର୍ମି ବାଂଲାଦେଶ ସେନାର ସମସ୍ତ ୧୦ କମାଣ୍ଡ୍ରେ ଟ୍ରେନିଂ ଦେବ । ଏଥିପାଇଁ ପାକିସ୍ତାନ ଆର୍ମିର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟି ଅଧ୍ୟକ୍ଷ ଜେନେରାଲ ସାହିର ଶମଶାଦ୍ ମିର୍ଜା ଗତ ନଭେମ୍ବରରେ ବାଂଲାଦେଶକୁ ଟ୍ରେନିଂ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱକାର-ଉଜ୍-ଜମାନ ରାଜି ହୋଇଥିଲେ । ପରେ ଜେନରାଲ ୱକାର ପାକ୍ ଆର୍ମିକୁ ଟ୍ରେନିଂ ଭାବେ ନିମନ୍ତ୍ରଣ ପଠାଇଥିଲେ ।
ବାଂଲାଦେଶ ପାକିସ୍ତାନଠାରୁ ଗୋଳା-ବାରୁଦ ସହ ଗତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୪୦ ହଜାର ରାଉଣ୍ଡ ଅସ୍ତ୍ରଶସ୍ତ୍ର ମଗାଇଛି, ଯାହା କି ପୂର୍ବବର୍ଷ ତୁଳନାରେ ୩ ଗୁଣ ଅଧିକ । ଗତ ବର୍ଷ ଏହା ୧୨ ହଜାର ରାଉଣ୍ଡ ଥିଲା । ଏହା ବ୍ୟତୀତ ୨ ହଜାର ରାଉଣ୍ଡ ଟ୍ୟାଙ୍କ ଆମ୍ୟୁନିସନ ଏବଂ ୪୦ ଟନ୍ର ଆର୍ଡିଏକ୍ସ ବି ବାଂଲାଦେଶ ମଗାଇଛି । ଆସନ୍ତା ଫେବ୍ରୁଆରୀରେ ବାଂଲାଦେଶ ନୌସେନା ପାକିସ୍ତାନ ସହ କରାଚୀ ବନ୍ଦରରେ ଯୁଦ୍ଧାଭ୍ୟାସ ମଧ୍ୟ କରିବ । ବିଶେଷଜ୍ଞଙ୍କ ଅନୁସାରେ, ବାଂଲାଦେଶ ଏବଂ ପାକିସ୍ତାନ ଭିତରେ ସମ୍ପର୍କ ବଢ଼ିବା ଦ୍ୱାରା ଭାରତର ୮୦ କିମି ଦୀର୍ଘ ସିଲିଗୁଡ଼ି କରିଡର ପାଇଁ ବିପଦ ସୃଷ୍ଟି ହୋଇପାରେ । ଏହି କରିଡର ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ବାକି ଅଂଶ ସହ ଯୋଡ଼ୁଛି । ବାଂଲାଦେଶରେ ପାକିସ୍ତାନ ସେନାର ଏଣ୍ଟ୍ରି ପରେ ପୂର୍ବୋତ୍ତରରେ କଠୋରପନ୍ଥୀ ଗୋଷ୍ଠୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଆଶଙ୍କା ରହିଛି