ପୁଣି ଏକ ଯୁଦ୍ଧ ଅଭିମୁଖେ ପୃଥିବୀ: ପାକିସ୍ତାନ ଦଖଲରେ ବାହାରିଲେ ୧୫ ହଜାର ତାଲିବାନ ଯୋଦ୍ଧା

Published By : Prameya-News7 Bureau | December 26, 2024 IST

indiatoday

ନୂଆଦିଲ୍ଲୀ: ନିଜେ ପାଳିଥିବା ସାପ ପଡ଼ୋଶୀକୁ କାମୁଡ଼ିବ ବୋଲି ଭାବି ବେକରେ ଗୁଡ଼ାଇ ରଖିଲେ,ସାପ ବଡ଼ ହୋଇ ତୁମକୁ ହିଁ କାମୁଡ଼ିବ। ଆମେରିକାର ତତ୍‌କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ହିଲାରି କ୍ଲିଣ୍ଟନ ପାକିସ୍ତାନକୁ ଲକ୍ଷ୍ୟ କରି ୨୦୧୧ ଏପରି କହିଥିଲେ। ଆଉ ଆଜି ତାହା ସତ ହେବାକୁ ଯାଉଛି। ଆଫଗାନିସ୍ତାନକୁ ସବୁବେଳେ ଅସ୍ଥିର କରିବା ପାଇଁ ଯେଉଁ ପାକିସ୍ତାନ ସେତେବେଳେ ତାଲିବାନକୁ ବଳ ଦେଉଥିଲା, ଆଜି ସେହି ତାଲିବାନ ବାହାରିଛି ପାକିସ୍ତାନ ଦଖଲରେ। 

ଗତକାଲି(୨୫ ଡିସେମ୍ବର ୨୦୨୪) ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବା ପରେ ପ୍ରତିଶୋଧ ନିଆଁରେ ତାଲିବାନ। ରିପୋର୍ଟ ମୁତାବକ ୧୫ ହଜାର ତାଲିବାନ ଯୋଦ୍ଧା ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ବାହାରି ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଜୟ ପରାଜୟ କାହାର ହେବ, ତାହା ଶେଷରେ ଜଣାପଡ଼ିବ। ହେଲେ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ପ୍ରଚ୍ଛଦପଟ କାହାଣୀ ଆସନ୍ତୁ ଜାଣିବା। 

ପାକ୍ ଓ ଆଫଗାନ ମଧ୍ୟରେ ବଢ଼ୁଛି ଉତ୍ତେଜନା; ଯୁଦ୍ଧ ହେଲେ କିଏ ଭାରି ପଡ଼ିବ ?

ପ୍ରକୃତରେ ପାକିସ୍ତାନକୁ ବର୍ତ୍ତମାନ ଦୁଇ ପ୍ରକାର ତାଲିବାନର ଭୟ ରହିଛି। ଗୋଟିଏ ତେହେରିକ ଏ ତାଲିବାନ ପାକିସ୍ତାନ, ସଂକ୍ଷେପରେ ଟିଟିପି, ଆଉ ବର୍ତ୍ତମାନ ଆଫଗାନିସ୍ତାନ କ୍ଷମତାରେ ଥିବା ତଲିବାନ। ଟିଟିପି ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନରେ ହିଁ ସବଳ ହୋଇଥିଲା। ବର୍ତ୍ତମାନ ସେ ପାକିସ୍ତାନ ରକ୍ତ ପିପାସୁ ସାଜିଛି। 

ଗତକାଲି ପାକିସ୍ତାନ ଆଫଗାନିସ୍ତାନରେ ପକ୍ତିକା ରାଜ୍ୟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଉଦ୍ଧେଶ୍ୟ ଥିଲା ଏହି ଅଞ୍ଚଳରେ ଟିଟିପିର ଟ୍ରେନିଂ କ୍ୟାମ୍ପକୁ ସମ୍ପୂର୍ଣ୍ଣ ନଷ୍ଟ କରିବା। ଏଥିରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ଛୋଟପିଲା ଓ ମହିଳାମାନେ ବି ରହିଛନ୍ତି। ପାକିସ୍ତାନ କହିଛି ଆଫଗାନିସ୍ତାରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଡ୍ରୋନ୍ ଓ ଫାଇଟର ଜେଟ୍‌ରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।

ଅନ୍ୟପଟେ ତାଲିବାନ କହିଛି ପାକିସ୍ତାନର ଏହି ଆକ୍ରୋଶର ପ୍ରତିଶୋଧ ନିଶ୍ଚୟ ନେବୁ। ଏନେଇ କାବୁଲ୍‌ରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଦୂତାବାସକୁ ସମନ କରି ଉତ୍ତର ମାଗିଛି। ସେଥିପାଇଁ ପ୍ରାୟ ୧୫ ତାଲିବାନ ଯୁଦ୍ଧା କାବୁଲ, କାନ୍ଦାହାର ଏବଂ ହେରାଟରୁ ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶକୁ ଲାଗିଥିବା ମୀର ଅଲି ସୀମା ଆଡକୁ ଯାତ୍ରା କରୁଥିବା ଜଣାପଡ଼ିଛି। 

ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ପାକିସ୍ତାନରେ ବଢ଼ି ଆତଙ୍କବାଦୀ ଆକ୍ରମଣ।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। କାରଣ ନୂଆ ସରକାର ଟିଟିପିକୁ ପାକିସ୍ତାନ ବିରୋଧରେ ପ୍ରୋତ୍ସାହିତ କରି ବଳ ଦେଉଛି। ଟିଟିପିର ମୂଳ ଉଦ୍ଦେଶ୍ୟ ହେଲା ସେମାନେ ଆଫଗାନିସ୍ତାନ ପରି ପାକିସ୍ତାନରେ ମଧ୍ୟ ଇସ୍ଲାମିକ ଏମିରେଟ୍ସ ସ୍ଥାପନ କରିବାକୁ ଚାହୁଁଛନ୍ତି।  

ଇସଲାମାବାଦ ସ୍ଥିତ ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ଦେଇଥିବା ରିପୋର୍ଟ ଅନୁସାରେ, ୨୦୨୨ ତୁଳନାରେ ୨୦୨୩ ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ଯୁ ସଂଖ୍ୟା 56% ବୃଦ୍ଧି ପାଇଛି। ଏଥିରେ ୫୦୦ ସୁରକ୍ଷା କର୍ମୀଙ୍କ ସହ ଦେଢ଼ ହଜାର ମୃତ୍ୟୁ ହୋଇଛି। ଏହି କାରଣ ଯୋଗୁ ପାକିସ୍ତାନ ତାଲିବାନର ସମ୍ପର୍କ ବିଗିଡ଼ି ଯାଇଛି। ଏଥିପାଇଁ ଆଫଗାନିସ୍ତାନ ନାଗରିକଙ୍କ ଉପରେ କଡ଼ା କଟକଣା ଲଗାଇଛି। ଭିସାରେ କଟକଣା,ଟିଟିପି ଉପରେ ସେନା କାର୍ଯ୍ଯାନୁଷ୍ଠାନ ଓ ୫ ହଜାର ଆଫଗାନ ନାଗରିକଙ୍କୁ ପାକିସ୍ତାନରୁ ବିଦା କରି ଦେଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ତିକ୍ତ କରିଦେଇଛି। 

ତେବେ ନିକଟରେ ଟିଟିପି ପାକିସ୍ତାନର ଉତ୍ତର ପଶ୍ଚିମ ଚେକ୍ ପଏଣ୍ଟରେ ଆକ୍ରମଣ କରିଥିଲା। ଏଥିରେ ୧୬ ପାକିସ୍ତାନୀ ଯବାନଙ୍କର ମୃତ୍ଯୁ ହୋଇଥିଲା। ଯେଉଁଥିପାଇଁ ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। 

ତାଲିବାନକୁ କେମିତି ସହଯୋଗ କରୁଥିଲା ପାକିସ୍ତାନ ?

ଭୂରାଜନୈତିକ ସ୍ଥିତି ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସମୟ ଅନୁସାରେ ବଦଳିଛି। ୧୯୯୦ ଦଶକ ମଧ୍ୟଭାଗରେ ତାଲିବାନ ଆରମ୍ଭ ହେବା ଠାରୁ ପାକିସ୍ତାନ ସହଯୋଗ କରି ଆସୁଛି। ସେତେବେଳେ ଆଫଗାନିସ୍ତନରେ ଶୋଭିଏତ ସମର୍ଥିତ ସରକାର ଥିଲା। ଏହି ଶାସନକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ତାଲିବାନକୁ ବଳ ଦେଉଥିଲା। ଦଶନ୍ଧୀ ଦଶନ୍ଧୀ ଧରି ତାଲିବାନ ଗଠନ ଓ ଏହାର ମଜଭୁତ କରିବା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ପ୍ରଚ୍ଛନ୍ନ ହାତ ରହିଛି। କେବଳ ସେତିକି ନୁହେଁ, ୧୯୯୬ରେ ଯେତେବେଳେ ତାଲିବାନ ଇସ୍ଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନ ସରକାର ଗଠନ କଲା ସତେବେଳେ ଅନ୍ଯ ୩ ଦେଶ ସହିତ ପାକିସ୍ତାନ ମଧ୍ଯ ଏହାକୁ ବୈଧ ସରକାର ବୋଲି ମାନ୍ୟତା ଦେଇଥିଲା।

ପାକିସ୍ତାନ ତାଲିବାନକୁ ସେନା ବଳ, ଯୁଦ୍ଧାସ୍ତ୍ର ଅନ୍ୟାନ୍ୟା  ସୁବିଧା ପ୍ରଦାନ କରିଥିଲା। ହେଲେ ତାଲିବାନ ଅଲକାଏଦା ଆତଙ୍କବାଦୀ ଓସାମା ବିନ ଲାଡେନ୍‌କୁ ସହଯୋଗ କରୁଥିବା ତାଲିବାନକୁ ସହଯୋଗ ନ କରିବାକୁ ଚପା ପକାଇଥିଲା ଜାତିସଂଘ। ତଥାପି ବି ପାକିସ୍ତାନ ସହଯୋଗ କରିବା ଛାଡ଼ି ନଥିଲା। ଭାରତକୁ ଆତଙ୍କବାଦୀ ପୂରାଇ ଅସ୍ଥିର କରିବାକୁ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.