ଆମେରିକୀୟଙ୍କ ଜୀବନ ନେଉଛି ଗାଜର ? ୟୁଏସଏର ସମସ୍ତ ଷ୍ଟୋରରୁ ଗାଏବ

Published By : Prameya-News7 Bureau | November 20, 2024 IST

ନୂଆଦିଲ୍ଲୀ ୨୦/୧୧: ଶରୀର ପାଇଁ ଘାତକ ଖରାପ ଖାଦ୍ୟ । ଦରକାର ପଡିଲେ ଜୀବନ ବି ଚାଲିଯାଏ । ସେଥିପାଇଁ ରୀତିମତ ହୁଏ  ଖାଦ୍ୟର ଯାଞ୍ଚ। ସେ ଦୋକାନ ହେଉ ବା ହୋଟେଲ । କିନ୍ତୁ ଜାଣିଛନ୍ତି କି କଞ୍ଚା ପରିବା ବି ନେଉଛି ଜୀବନ । ଆପଣଙ୍କୁ ହୁଏତ କଥାଟି ଅଜବ ଲାଗିପାରେ । କିନ୍ତୁ ଏକଥା ଏବେ ପାଲଟିଛି ସତ ଘଟଣା । 

ଶକ୍ତିଶାଳୀ ରାଷ୍ଟ୍ରରେ ଆମେରିକାରେ ପ୍ରାଣଘାତୀ ପାଲଟିଛି ଗୋଟିଏ କଞ୍ଚା ପରିବା । ଆଉ ସେହି ପରିବାଟି ହେଉଛି ଗାଜର । ଏହି ନିତିଦିନିଆ ପରିବା ଶରୀର ପାଇଁ ପାଲଟିଛି ହାନିକାରକ । ଗାଜର ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୧୫ ହୋଇଛନ୍ତି  ଆହତ । ଫଳରେ ଆମେରିକାର ସମସ୍ତ ଷ୍ଟୋରରୁ ହଟାଯାଉଛି ଅର୍ଗାନିକ୍ ଓ ଛୋଟ ଗାଜର । 

ଗାଜରରୁ ବ୍ୟାପିଲା ଇ-କୋଲି  ବ୍ୟାକ୍ଟେରିଆ । ଚେତାବନୀ ଦେଲା CDC । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର, ଦୋକାନରେ ବିକ୍ରି ଉପରେ ଲଗାଇଛି ବ୍ୟାନ୍ । ସିଡିସି ଏହାର ବିବୃତ୍ତିରେ କହିଛି ଯେ ଏପର୍ଯ୍ୟନ୍ତ ଆମେରିକାର ୧୮ଟି ରାଜ୍ୟରେ ବ୍ୟାପିଛି ଇ-କୋଲି ସଂକ୍ରମଣ । 


ଯାହାକି ଗାଜରରୁ ବ୍ୟାପିଥିବା ରିପୋର୍ଟରେ ଖୁଲାସା । ଏପରିକି ଲୋକଙ୍କୁ ଗାଜର ନ ଖାଇବାକୁ ଚେତାବନୀ ଦେଇଛି ସିଡିସି । ଆମେରିକାର ଷ୍ଟୋରରେ ଆଉ ଉପଲବ୍ଧ ନାହିଁ ଗାଜର । ଯେଉଁମାନଙ୍କ ପାଖରେ ବା ଷ୍ଟୋରରେ ମହଜୁଦ୍ ଅଛି ସେସବୁକୁ ଫିଙ୍ଗିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏହାସହ ଚାଷ ଏବଂ ଅମଳ ପଦ୍ଧତିର ବି ସମୀକ୍ଷା ଚାଲିଛି । 

ଇଚେରିଚିଆ କୋଲି ବା ଇ.କୋଲି ବ୍ୟାକ୍ଟେରିଆ । ଏହି ଜୀବାଣୁ କ୍ଷୀପ୍ର ଗତିରେ ବ୍ୟାପେ ଓ ସଂକ୍ରମଣ ବଢାଏ । ମଣିଷ ଏବଂ ପଶୁଙ୍କ ଅନ୍ତନଳୀରେ ଅତି ସହଜରେ ରହିଯାଏ ଏହି ଜୀବାଣୁ । ଯଦିଓ ଏହା କ୍ଷତିକାରକ ନୁହେଁ, କିନ୍ତୁ କିଛି ଇ କୋଲି ବ୍ୟାକ୍ଟେରିଆ ଜୀବନ ପ୍ରତି ସୃଷ୍ଟି କରେ ବିପଦ । କାରଣ ଖାଦ୍ୟ ସହାୟତାରେ ପାକସ୍ଥଳୀରେ ପଶି  ରୋଗର ଆଶଙ୍କା ବଢାଇଥାଏ । ଜୀବାଣୁର ମୁଖ୍ୟ ଲକ୍ଷଣ ମଧ୍ୟରେ ଡିହାଇଡ୍ରେସନ୍, ରକ୍ତାଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ସହ ଜ୍ୱର ଅନ୍ତର୍ଭୁକ୍ତ । 

ବର୍ଗର ପରେ ଆମେରିକାକୁ ଘାରିଛି ଗାଜର ଚିନ୍ତା । ଆଖି, ଲିଭର, କିଡନୀ, ଶରୀରର ଅନ୍ୟ ଅଙ୍ଗକୁ କରୁଛି କ୍ଷତିଗ୍ରସ୍ତ । ମାସକ ତଳେ ବର୍ଗର ଖାଇ ପ୍ରାଣ ହରାଇଥିଲେ ଅନେକ । ଅକ୍ଟୋବର ମାସରେ ଅନେକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ଏବେ ମାସକ ପରେ ପ୍ରାଣଘାତୀ ସାଜିଛି ଗାଜର । ଭଲ ପରିବାଟି ଖାଇବା ଥାଳିରୁ ହୋଇଛି ଉଭାନ । ଖାଲି ମେନ୍ୟୁ ନୁହେଁ ବିକ୍ରି ଉପରେ ବି ଲାଗିଛି କଟକଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.