ଜାନୁଆରୀ ୨୦ରୁ ଆମେରିକାରେ ଟ୍ରମ୍ପ ସରକାର; ପ୍ରଥମେ ଶପଥ ନେବେ ଉପ-ରାଷ୍ଟ୍ରପତି

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ୪ ବର୍ଷ ପରେ ହ୍ବାଇଟ୍ ହାଉସ୍ ଦଖଲ କରିଛନ୍ତି । ତେବେ ଆସନ୍ତା ଜାନୁଆରୀ ୨୦ ତାରିଖରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ମାତ୍ର ଏହା ପୂର୍ବରୁ ପ୍ରଥମେ ଶପଥ ନେବେ ଉପ-ରାଷ୍ଟ୍ରପତି ।  

ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ୱାଶିଂଟନ ଡିସିସ୍ଥିତ କ୍ୟାପିଟଲ ବିଲ୍‌ଡିଂରେ ଶପଥ ଗ୍ରହଣ କରିବେ । ସର୍ବ ପ୍ରଥମେ ନୂଆ ରାଷ୍ଟ୍ରପତି ନିଜ ବାସଭବନରୁ ବହାରି ଚର୍ଚ୍ଚ ଯିବେ । ଏହି ପରମ୍ପରା ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟ ଆରମ୍ଭ କରିଥିଲେ । କ୍ୟାପଟଲ ବିଲ୍‌ଡିଂକୁ ଆସିବା ପୂର୍ବରୁ ନୂଆ ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଔପଚାରିକ ଆଲୋଚନା ହେବ । କିନ୍ତୁ ଜୋ ବାଇଡେନ୍‌ ଯେତେବେଳେ ରାଷ୍ଟ୍ରପତି ହୋଇଥିଲେ, ତାଙ୍କ ଶପଥ ସମାରୋହ ବେଳେ ଡୋନାଲ୍ଡ ଟ୍ରମ୍ପ୍‌ ଛୁଟିରେ ଚାଲିଯାଇଥିଲେ । 

ହ୍ୱାଇଟ୍ ହାଉସରେ ବିଦାୟୀ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ ରାଷ୍ଟ୍ରପତି କ୍ୟାପିଟଲ ବିଲ୍‌ଡିଂ ଅଭିମୁଖେ ଯିବେ । ସେଠାରେ କଂଗ୍ରେସ ସଦସ୍ୟମାନଙ୍କ ସହ ଅନେକ ଅତିଥି ଶପଥ ଗ୍ରହଣର ପ୍ରତୀକ୍ଷା କରିବେ । କ୍ୟାପିଟାଲ ବିଲ୍‌ଡିଂରେ ସର୍ବପ୍ରଥମେ ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ନେବେ । ଏହାର କିଛି ସମୟ ପରେ ରାଷ୍ଟ୍ରପତି ଶପଥ ନେବେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରାଇବେ । ରାଷ୍ଟ୍ରପତି ଗୋଟିଏ ବାକ୍ୟରେ ଶପଥ ନେଇଥାନ୍ତି, ଯାହା ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ ନେଇଥିଲେ । ତାହା ହେଉଛି- ‘ମୁଁ ସତ୍ୟନିଷ୍ଠାର ସହ ଶପଥ ନେଉଛି ଯେ ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦର ସଚ୍ଚୋଟତା ପୂର୍ବକ ପାଳନ କରିବି ଏବଂ ନିଜର ସର୍ବୋତ୍ତମ କ୍ଷମତା ବଳରେ ଯୁକ୍ତରାଷ୍ଟ୍ରର ସମ୍ବିଧାନର ସଂରକ୍ଷଣ, ସୁରକ୍ଷା ଏବଂ ଉଦ୍ଧାର କରିବି ।’ 

ଶପଥ ସମାରୋହ ପରେ ରାଷ୍ଟ୍ରପତି ଜନତାଙ୍କୁ ସମ୍ବୋଧନ କରିବେ । ଏହାପରେ ନୂଆ ରାଷ୍ଟ୍ରପତିଙ୍କ ପ୍ରେସିଡେଣ୍ଟ ରୁମ୍‌ରେ ‘ସାଇନିଂ ସେରିମନି’ ହେବ । ଏହି ସମୟରେ ରାଷ୍ଟ୍ରପତି ପଦଭାର ଗ୍ରହଣ ପରେ ନିଜ ପ୍ରଥମ ଆଦେଶଗୁଡ଼ିକରେ ଦସ୍ତଖତ କରିବେ । ଏହି ପରମ୍ପରା ୧୯୮୧ରେ ରାଷ୍ଟ୍ରପତି ରୋନାଲ୍ଡ ରିଗନ୍‌ ଆରମ୍ଭ କରିଥିଲେ । ଏହାପରେ ରାଷ୍ଟ୍ରପତି ଇନଗରାଲ ଡେ ପରେଡ୍‌ରେ ସାମିଲ ହେବେ । କାର୍ଯ୍ୟକ୍ରମ ସମାପନ ପରେ ନୂଆ ରାଷ୍ଟ୍ରପତି ନିଜ ପରିବାର ସହ ହ୍ୱାଇଟ ହାଉସ୍‌କୁ ସ୍ଥାନାନ୍ତର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.