ଦୁନିଆର ପ୍ରଥମ ମିସ୍ ୱାର୍ଲଡ କିକି ହକାନ୍‌ସନଙ୍କ ପରଲୋକ, ୯୫ ବର୍ଷରେ ଦୁନିଆକୁ କଲେ ଅଲବିଦା

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ବ୍ୟୁଟି ପିଜାଣ୍ଟ ଇତିହାସରେ ଏକ ଯୁଗର ଅନ୍ତ । ଦୁନିଆର ପ୍ରଥମ ମିସ୍ ୱାର୍ଲଡ କିକି ହକାନ୍‌ସନଙ୍କ ପରଲୋକ ଘଟିଛି । ୯୫ ବର୍ଷ ବୟସରେ କିକି ହକାନ୍‌ସନ ଦୁନିଆକୁ ଅଲବିଦା କରିଛନ୍ତି । ନିଜ କାଲିଫର୍ଣ୍ଣିଆ ସ୍ଥିତ ବାସଭବନରେ ହକାନ୍‌ସନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମ୍ପର୍କୀୟଙ୍କ କହିବା ଅନୁସାରେ କିକି ନିଜ ଘରେ ପରିବାର ଲୋକଙ୍କ ସହ ରହୁଥିଲେ । ବୁଧବାର ନିଦରେ ଥିବା ସମୟରେ ହିଁ ଦୁନିଆ ଛାଡ଼ିଛନ୍ତି । କିକିଙ୍କ ପୁଅ କହିଛନ୍ତି, 'ଏକ ଶାନ୍ତି ଜୀବନ ବିତାଇ ଖୁସି ଖୁସିରେ ସେ ଦୁନିଆକୁ ଛାଡ଼ି ପରମାତ୍ମାଙ୍କ ନିକଟକୁ ଯାଇଛନ୍ତି ।'

ସ୍ୱିଡେନର ଜନ୍ମିତ କିକି ହକାନ୍‌ସନ ୧୯୫୧ ମସିହାରେ ଇତିହାସ ରଚିଥିଲେ । ଆଜିଠାରୁ ୭୩ ବର୍ଷ ପୂର୍ବେ ମିସ୍ ୱାର୍ଲଡ୍ ଟାଇଟଲ୍ ଜିତି ଦୁନିଆର ପ୍ରଥମ ମିସ୍ ୱାର୍ଲଡ୍ ହୋଇଥିଲେ । ଅଫିସିଆଲ୍ ମିସ୍ ୱାର୍ଲଡ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ତାଙ୍କର ନିଧନ ନେଇ ଘୋଷଣା କରାଯାଇଛି । 

୧୯୫ ମସିହା ଜୁଲାଇ ୨୯ରେ ଲିସେୟୁମ ବାଲରୁମରେ ମିସ୍ ୱାର୍ଲଡ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହାପରେ ମିସ୍ ୱାର୍ଲଡ୍ ପିଜାଣ୍ଟ ଏକ ସଂସ୍ଥା ହେଲା ଏବଂ କିକିଙ୍କ ବିଜୟରୁ ଏକ ନୂଆ ଅଧ୍ୟାୟ ହେଲା । ନିଜ ସୁନ୍ଦରତା ଏବଂ ବୁଦ୍ଧିରେ ଦୁନିଆକୁ ପ୍ରଭାବିତ କରିବାକୁ ଚାହୁଁଥିବା ସେହି ସମସ୍ତ ମହିଳାଙ୍କ ପାଇଁ କିକି ହେଉଛନ୍ତି ପ୍ରେରଣା । କିକି ହଜାର ହଜାର ମହିଳାଙ୍କ ମାର୍ଗଦର୍ଶକ ହେବା ସହ ଏକ ସମୃଦ୍ଧ ଇତିହାସ ଛାଡ଼ି ଯାଇଛନ୍ତି । କିକିଙ୍କ ପରିଲୋକରେ ବ୍ୟୁଟି ପିଜାଣ୍ଟ ଇତିହାସରେ ଏକ ଯୁଗର ଅନ୍ତ ଘଟିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.