ନୂଆଦିଲ୍ଲୀ ୬।୧୧: ବାଂଲାଦେଶ ଆବାମୀ ଲିଗ୍ ପାର୍ଟି ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିଲ ବିଜୟ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶେଖ ହସିନା ଲେଖିଛନ୍ତି ‘ଟ୍ରମ୍ପଙ୍କୁ ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ବଧେଇ’। ଶେଖ ହସିନା ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସଙ୍ଗେ ନିଜର କେତେକ ବୈଠକ ଓ ବାର୍ତ୍ତାକୁ ମନେ ପକାଇଛନ୍ତି।
ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ତାଙ୍କ ସହିତ ମେଲେନିୟା ଟ୍ରମ୍ପ ମଧ୍ୟ ହସିନାଙ୍କୁ ଭେଟିଥିଲେ। ହସିନା ଆଶାବ୍ୟକ୍ତ କରିଛନ୍ତି ଯେ ଟ୍ରମ୍ପ ଦ୍ୱିତୀୟବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଆମେରିକା ଓ ବାଂଲାଦେଶ ମଧ୍ୟରେ ପୁଣି ମିତ୍ରତା ସମ୍ପର୍କ ସ୍ଥାପିତ ହୋଇ ପାରିବ। ହସିନା ଆଶାବ୍ୟକ୍ତ କରିଛନ୍ତି ଯେ ଆଗାମୀ ସମୟରେ ସେ ଆମେରିକା ସହିତ ମିଶି ଦ୍ୱିପାକ୍ଷୀୟ ଓ ବହୁପକ୍ଷୀୟ ହୀତ ଅନୁରୂପେ କାମ କରିବେ।
ଶେଖ ହସିନା ଟ୍ରମ୍ପ ଓ ତାଙ୍କ ପରିବାର ଲୋକଙ୍କ ଲାଗି ଭଲ ସ୍ୱାସ୍ଥ୍ୟ କାମନା ମଧ୍ୟ କରିଛନ୍ତି। ଏହା ସହିତ ଆମେରିକୀୟ ଲୋକଙ୍କ ଶାନ୍ତି, ବିକାଶ ଓ ସମୃଦ୍ଧି କାମନା ବି କରିଛନ୍ତି। ଶେଖ ହସିନାଙ୍କ ଏପରି ବାର୍ତ୍ତାରୁ ଏହା ସ୍ପଷ୍ଟ ଯେ ବାଂଲାଦେଶ ଆନ୍ଦୋଳନ ପ୍ରତି ବାଇଡେନ ଆନମନା ରହିବା ଓ କଥିତ ଅନ୍ତର୍ଘାତୀ ଯୋଗୁ ତାଙ୍କୁ କ୍ଷମତା ହରାଇବାକୁ ପଡିଥିଲା। ଅପରପଟେ ଏବେ ଟ୍ରମ୍ପଙ୍କ ଯୋଗୁ ହସିନାଙ୍କୁ ଆମେରିକୀୟ ସହାୟତା ମିଳିବ ବୋଲି ଆଶାବ୍ୟକ୍ତ କରୁଛନ୍ତି। ଏଥିରୁ ପ୍ରଶ୍ନ ଉଠୁଛି ଟ୍ରମ୍ପଙ୍କ ଯୋଗୁ ହସିନାଙ୍କ ବାଂଲାଦେଶ କ୍ଷମତାକୁ ଫେରିବାର ରାସ୍ତା ଖୋଲିବ କି?