ନୂଆଦିଲ୍ଲୀ: ହିନ୍ଦୁ ପୂଜାରୀ ଏବଂ ପୂର୍ବତନ ଇସ୍କନ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଆଉ ଏକ ଝଟକା। ଗୁରୁବାର ବାଂଲାଦେଶ ଚଟ୍ଟୋଗ୍ରାମର ଏକ ଅଦାଲତ ତାଙ୍କୁ ଜାମିନ୍ ଦେବାକୁ ମନା କରିଛନ୍ତି। ଚିନ୍ମୟଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ବାଂଲାଦେଶର ଅପମାନ କରିବା ସହ ଜାତୀୟ ପତାକାକୁ ଅପମାନ କରିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ରାଜଦ୍ରୋହ ଅଭିଯୋଗ ଲଗାଯାଇଛି। ମାମଲାରେ ଚିନ୍ମୟଙ୍କ ପାଇଁ ୧୧ ଜଣ ଓକିଲ ପକ୍ଷ ରଖିଛନ୍ତି। ଏହା ସହ ଚିନ୍ମୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ।
ସୂଚନାଥାଉକି, ଚିନ୍ମୟଙ୍କୁ ଦେଶଦ୍ରୋହ ମାମଲାରେ ନଭେମ୍ବର ୨୫ରେ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ବାଂଲାଦେଶ ସମିଳିତ ସନାତନ ଜାଗରଣ ଜୋତେ ସଂଗଠନର ପ୍ରବକ୍ତା ଚିନ୍ମୟ ଦାସଙ୍କ ଜାମିନ ନଭେମ୍ବର ୨୬ରେ ଚଟ୍ଟୋଗ୍ରାମର ଷଷ୍ଠ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କାଜି ଶାରିଫୁଲ ଇସଲାମ ରାଜଦ୍ରୋହ ମାମଲାରେ ଖାରଜ କରିଥିଲା, ଯାହା ପରେ ତାଙ୍କୁ ଜେଲ ପଠାଇଦିଆଯାଇଥିଲା। ଚିନ୍ମୟ ପୂର୍ବରୁ ଇସ୍କନ ସହ ଜଡ଼ିତ ଥିଲେ।
ଚଟ୍ଟୋଗ୍ରାମ ଜିଲ୍ଲା ବାର୍ ସଂଘର ଅଧ୍ୟକ୍ଷ ନାଜିମ ଉଦ୍ଦୀନ ଚୌଧୁରୀ କହିଛନ୍ତି ‘‘ସରକାର ଜାମିନର ବିରୋଧ କରିଛନ୍ତି। କାରଣ ଚିନ୍ମୟଙ୍କ ଉପରେ ରାଜଦ୍ରୋହ ମାମଲା ରହିଛି। ଏହି ମାମଲାରେ ଆଜୀବନ ଜେଲ ଦଣ୍ଡ ହୋଇଥାଏ।’’ ସେହିଭଳି ସରକାରୀ ଓକିଲ ମଫିଜୁଲ ହକ ଭୁଇୟା କହିଛନ୍ତି, ‘‘ଚଟ୍ଟୋଗ୍ରାମ ମେଟ୍ରୋପଲିଟାନ କୋର୍ଟ ବିଚାରପତି ସୈଫୁଲ ଇସଲାମ ଉଭୟ ପକ୍ଷଙ୍କ ୩୦ ମିନିଟ ପର୍ଯ୍ୟନ୍ତ ଶୁଣାଣି ପରେ ଜାମିନ ଆବେଦନକୁ ଖାରଜ କରିଥିଲେ।’
ଚିନ୍ମୟ ଦାସଙ୍କ ଓକିଲ ଅପୂର୍ବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ‘‘ସେ ହାଇକୋର୍ଟରେ ଜାମିନ ପାଇଁ ଅପିଲ କରିବେ। ଚିନ୍ମୟଙ୍କ ଉପରେ ଲାଗିଥିବା ଜାତୀୟ ପତାକାକୁ ଅପମାନ କରିବା ଅଭିଯୋଗ ନିରାଧାର, କାରଣ ତାହା ଜାତୀୟ ପତାକା ନଥିଲା। ଆମେ ଅଦାଲତଙ୍କୁ ଏହି ମାମଲା ଆଗକୁ ନବଢ଼ାଇବା ପାଇଁ ସୂଚିତ କରିଥିଲୁ।’’