ନୂଆଦିଲ୍ଲୀ: ଆମେରିକା ଆଗାମୀ ଚାରି ବର୍ଷ ପାଇଁ ନିଜ ନେତା ବାଛି ସାରିଛି । ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ହ୍ୱାଇଟ୍ ହାଉସର ୧୩୨ ବର୍ଷର ଇତିହାସରେ କ୍ରମାଗତ ନଜିତି ଦ୍ୱିତୀୟ ଥର କ୍ଷମତାକୁ ଫେରିବାରେ ଟ୍ରମ୍ପ ହେଉଛନ୍ତି ଦ୍ୱିତୀୟ ନେତା । ସେପଟେ କମଲା ହାରିସ ମଧ୍ୟ ନିଜ ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଶ୍ୱର ଅନ୍ୟ ବଡ଼ ଦେଶ ପାଇଁ ମଧ୍ୟ ଗୁରୁତ୍ୱ ରଖେ । ଟ୍ରମ୍ପଙ୍କ ବିଜୟର ସବୁଠୁ ଅଧିକ ପ୍ରଭାବ ଚୀନ ଏବଂ ଇରାନ ଉପରେ ପଡ଼ିପାରେ ।
ଚୀନ ସହ ସମ୍ପର୍କ
ଚୀନକୁ ଆମେରିକାର ସବୁଠୁ ବଡ଼ ଆର୍ଥିକ ପ୍ରତିଦ୍ୱନ୍ଦୀ ବୋଲି ଧରାଯାଏ । ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଅନେକ ଥର ଚୀନ ସହ ଟ୍ରେଡ୍ ୱାର କଥା କହିସାରିଛନ୍ତି । ପ୍ରଥମ କାର୍ଯ୍ୟକାଳରେ ଚୀନରୁ ଆମଦାନୀ ଉପରେ ୨୫୦ ବିଲିୟନ୍ ଡଲାର ଟାରିଫ୍ ଲଗାଇଥିଲେ । ଚଳିତ ବର୍ଷ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ କ୍ଷମତାକୁ ଫେରିଲେ ଚୀନ ସାମଗ୍ରୀ ଉପରେ ଟାରିଫ୍ ୬୦ରୁ ୧୦୦ ପ୍ରତିଶତ ବଢାଇବେ । ଏହାସହ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନକୁ ଜବାବ ଦେବା ପାଇଁ ଟ୍ରମ୍ପ କିଛି ବଡ଼ ପଦକ୍ଷେପ ନେଇପାରନ୍ତି ।
ରୁଷ ଏବଂ ୟୁକ୍ରେନ ସମ୍ପର୍କ
ସେପଟେ ରୁଷ-ୟୁକ୍ରେନକୁ ନେଇ ମଧ୍ୟ ନୂଆ ସରକାରର ନୀତି ବଦଳିପାରେ । ସିଏନବିସିର ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ ଏବଂ ରିପବ୍ଲିକାନ୍ ନେତାଙ୍କ ଗୋଟିଏ ବର୍ଗ ୟୁକ୍ରେନକୁ ଅଧିକ ସୈନ୍ୟ ସହାୟତା ଦେବା ବିରୋଧରେ ଅଛନ୍ତି । ଏଭଳି ସ୍ଥଳେ ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନର କ୍ଷମତା କମ ହୋଇପାରେ । ରିପୋର୍ଟ ଅନୁସାରେ ଯୁଦ୍ଧ ଜାରି ରଖିବା ପାଇଁ କିଭ୍ ବିଦେଶୀ ସହାୟତା ଉପରେ ନିର୍ଭର । ଏହାସହ ଟ୍ରମ୍ପ ଯୁଦ୍ଧ ଶେଷ ସପକ୍ଷରେ ବୟାନ ଦେଇ ଆସୁଛନ୍ତି । ଟ୍ରମ୍ପଙ୍କ ବୟାନ ଇଙ୍ଗିତ କରୁଛି ଯେ ରୁଷ ସହ ବୁଝାମଣା କରିବା ପାଇଁ ୟୁକ୍ରେନକୁ ଦିଆଯାଉଥିବା ଫଣ୍ଡିଂ ଉପରେ ରୋକ ଲାଗିପାରେ । ଆମେରିକାର ବିନା ସହଯୋଗରେ ୟୁକ୍ରେନ ନିଜ ବଡ଼ ଭୂଖଣ୍ଡ ହରାଇ ବସିବ । ସେପଟେ ଟ୍ରମ୍ପଙ୍କ ବିଜୟ ପରେ କ୍ରେମଲିନ ବୟାନ ଜାରି କରି ଯୁଦ୍ଧ ଶେଷ କରିବା ଦିଗରେ ତାଙ୍କ ପଦକ୍ଷେପ କୌତୁହଳର ବିଷୟ ହୋଇ ରହିବ ବୋଲି କହିଛି ।
ଇସ୍ରାଏଲ୍ ସହ ସମ୍ପର୍କ
ମଧ୍ୟପ୍ରାଚ୍ୟରେ ବିଭିନ୍ନ ମୋର୍ଚ୍ଚାରେ ଯୁଦ୍ଧ ଲଢୁଥିବା ଇସ୍ରାଏଲ୍ ପାଇଁ ଟ୍ରମ୍ପଙ୍କ ବିଜୟ ବରଦାନ ହୋଇପାରେ । ଟ୍ରମ୍ପ ସାର୍ବଜନୀନ ମଞ୍ଚରୁ ଅନେକ ଥର ଇସ୍ରାଏଲ୍ ସମର୍ଥନରେ ବୟାନ ଦେଇସାରିଛନ୍ତି । ପ୍ରଥମ କାର୍ଯ୍ୟକାଳରେ ଜେରୁସଲମକୁ ଇସ୍ରାଏଲର ରାଜଧାନୀ ବୋଲି ଟ୍ରମ୍ପ କହିଥିଲେ । ଅନ୍ୟପଟେ ଇସ୍ରାଏଲକୁ ନେଇ ହାରିସଙ୍କ ନୀତି ଅସ୍ପଷ୍ଟ ଥିବା ଅଭିଯୋଗ ହେଉଥିଲା । ବାଇଡେନ ବି ଅନେକ ସମୟରେ ଇସ୍ରାଏଲର ସୈନ୍ୟ ରଣନୀତିକୁ ସମାଲୋଚନା କରିଥିଲେ । ଏବେ କିନ୍ତୁ ଟ୍ରମ୍ପ କାଳରେ ଇସ୍ରାଏଲ ନିଜର ସୈନ୍ୟ ଗତିବିଧିକୁ ବଢାଇପାରେ ।
ଇରାନ ସହ ସମ୍ପର୍କ
ବୈଦେଶିକ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ବିଜୟ ଇରାନ ପାଇଁ ଖରାପ ଖବର ହୋଇପାରେ । ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ ନେଇ ନେତାନ୍ୟାହୁଙ୍କ ନିଷ୍ପତ୍ତିକୁ ଟ୍ରମ୍ପ ସମର୍ଥନ କରିପାରନ୍ତି । ବାଇଡେନ ଏଭଳି ପଦକ୍ଷେପକୁ ବିରୋଧ କରୁଥିଲେ । ହମାସ ଏବଂ ହେଜବୁଲ୍ଲାକୁ ସମର୍ଥନ କରି ଇସ୍ରାଏଲକୁ ଧମକ ଦେଉଥିବା ଇରାନ ସହ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ସ୍ଥିତି ଉତ୍ତେଜନା ରହିଥିଲା ।