ଲାହୋର ୬।୧୧: ପାକିସ୍ତାନ ଲାହୋରରେ ବାୟୁପ୍ରଦୂଷଣ ଯୋଗୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ଯଦି ଲୋକେ ମାସ୍କ ନ ପିନ୍ଧିବେ ଓ କୁହୁଡି ସମ୍ପର୍କିତ ଅନ୍ୟ ସତର୍କତା ପାଳନ ନ କରିବେ ତେବେ ସହରରେ ପୂର୍ଣ୍ଣ ଲକଡାଉନ ଲଗାଯିବ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବୁଧବାର ସକାଳେ ଲାହୋର ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତା ହୋଇଥିଲା ଯେତେବେଳେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୧୧୦୦କୁ ପାର କରିଯାଇଥିଲା।
ଆର୍ଥିକ ରାଜଧାନୀରେ ଗୁରୁତର ବାୟୁପ୍ରଦୂଷଣ ମୁକାବିଲା ନିମନ୍ତେ ସ୍ମଗ ୱାର ରୁମ ସ୍ଥାପନା କରାଯାଇଛି। ଏଥିରେ ଉପୁଜିଥିବା ପରିସ୍ଥିତିରେ ସରକାର କୃତ୍ରିମ ବର୍ଷା କରାଇବା ପାଇଁ ବିଚାର କରୁଥିବା କହିଛନ୍ତି। ଡାକ୍ତରଙ୍କ ଅନୁସାରେ ଅଧିକାଂଶ ଲୋକେ ଆଖି ଜଳାପୋଡା କରିବା କାଶ ଅଭିଯୋଗ ନେଇ ହସ୍ପିଟାଲକୁ ଆସୁଛନ୍ତି। ପାକିସ୍ତାନ ମେଡିକାଲ ଆସୋସିଏସନ ଉପାଧ୍ୟକ୍ଷ ସଲମାନ କାଜମୀ କହିଛନ୍ତି ଯେ ମାତ୍ର ସପ୍ତାହକରେ ବିଭିନ୍ନ ହସ୍ପିଟାଲ ଓ କ୍ଲିନିକରେ କାସ ଓ ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ଶହଶହ ରୋଗୀଙ୍କ ଚିକିତ୍ସା କରାଯାଇଛି।
ଏଣୁ ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ ଘରୁ ପଦାକୁ ବାହାରିଲେ ଫେସ ମାସ୍କ ପିନ୍ଧି ବାହାରିବାକୁ କୁହାଯାଉଛି। ଲାହୋରରେ ଗତମାସ ଠାରୁ ଏପରି ପରିସ୍ଥିତି ଉପୁଜିଛି। ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ମରିୟମ ଔରଙ୍ଗଜେବ ସହରକୁ ପୂର୍ଣ୍ଣ ଲକଡାଉନରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଫେସ ମାସ୍କ ଓ ଅନ୍ୟ ମାର୍ଗଦର୍ଶନ ପାଳନ କରିବାକୁ ନିବେଦନ କରିଛନ୍ତି। ତେବେ ଏହା ପୂର୍ବରୁ ଲାହୋରରେ ଜାଳେଣିରେ କୋଇଲା ବ୍ୟବହାର ଉପରେ ପୂର୍ଣ୍ଣ କଟକଣା ଲଗାଇ ଦିଆଯାଇଛି। ଏହା ଛଡା ମୋଟର ଚାଳିତ ରିକ୍ସା ବ୍ୟବହାର ଉପରେ ରୋକ ଲଗାଯାଇଥିବା ବେଳେ ମ୍ୟାରେଜ ହଲମାନଙ୍କୁ ରାତି ୧୦ଟା ସୁଧା ବନ୍ଦ କରିବାକୁ ଆଦେଶ ଦିଆଯାଇଛି।