ଆମେରିକା ଓ ୟୁକ୍ରେନ୍‌ର ଯୁଦ୍ଧବିରତି ପ୍ରସ୍ତାବକୁ ଋଷ୍‌ର ପ୍ରତ୍ୟାଖାନ; 'ଲକ୍ଷ୍ୟ ପୂରଣ ନହେବା ଯାଏ ବନ୍ଦ ହେବନି ଯୁଦ୍ଧ'

Published By : Prameya-News7 Bureau | March 13, 2025 IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ମଧ୍ୟରେ ଶାନ୍ତି ଫେରାଇବାକୁ ପ୍ରୟାସ ଚଳାଇଛି ଆମେରିକା । ସାଉଦୀ ଆରବରେ ୟୁକ୍ରେନ ଓ ଅମେରିକା ପ୍ରତିନିଧି ମଧ୍ୟରେ ୮ଘଣ୍ଟାର ଆଲୋଚନା ହୋଇଛି । ଏହି ବୈଠକରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି । ୩୦ ଦିନିଆ ଅସ୍ତ୍ରବିରତି ନିମନ୍ତେ କୀବ୍ ରାଜି ହୋଇଥିବା ବେଳେ ଏହି ପ୍ଲାନକୁ ଋଷକୁ ପଠାଯାଇଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ହ୍ବାଇଟ୍ ହାଉସରେ ଜଣେ ପତ୍ରକାରଙ୍କ ସହିତ ଆଲୋଚନା କରି କହିଛନ୍ତି, ଆଶା ଅଛି ମସ୍କୋ ଏହି ଯୁଦ୍ଧବିରତି ସର୍ତ୍ତ ଉପରେ ସହମତି ପ୍ରକାଶ କରିବ । ମାତ୍ର ଆମେରିକାର ଏହି ପ୍ରସ୍ତାବକୁ ଋଷ୍ ପ୍ରତ୍ୟାଖାନ କରିଥିବା ଜଣାପଡ଼ିଛି । 

ମଙ୍ଗଳବାର ସାଉଦି ଆରବର ଜେଦ୍ଦାହରେ ୟୁକ୍ରେନ ଏବଂ ଆମେରିକାର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ୟୁଏସଏର ଯୁଦ୍ଧବିରତି ସମସ୍ତ ପ୍ରସ୍ତାବ ଉପରେ ରାଜି ହୋଇଛି ୟୁକ୍ରେନ । ମାତ୍ର ଏହି ମିଟିଂରେ ସାମିଲ୍ ନଥିବା ଋଷ୍ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି । ଆମେରିକା ରଖିଥିବା ସର୍ତ୍ତ ଗ୍ରହଣୀୟ ନୁହେଁ । ରୁଷର ସର୍ତ୍ତ କାର୍ଯ୍ୟକାରୀ ହେଲେ ଯୁଦ୍ଧବିରତି ଲାଗୁ ହେବ ବୋଲି ମସ୍କୋ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନକୁ ପୁଣିଥରେ ସାମରିକ ସହାୟତା ଆରମ୍ଭ କରାଯିବ ଏବଂ ଗୁଇନ୍ଦା ସୂଚନା ପୂର୍ବଭଳି ପ୍ରଦାନ କରାଯିବ ବୋଲି ଆମେରିକା ଘୋଷଣା କରିଥିବାରୁ ଏହାକୁ ନେଇ ରୁଷ୍‌ କଡ଼ା ପ୍ରତିକ୍ରିୟା ରଖିଛି । ୟୁକ୍ରେନରେ ରୁଷ୍‌ ନିଜର ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ଲଢ଼େଇ ଚାଲିବ ଏବଂ ଅଧିକୃତ ଅଂଚଳ ଫେରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରୁଷ୍‌ କହିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଜେଦ୍ଦାହରେ ହୋଇଥିବା ଚୁକ୍ତିକୁ ସ୍ୱୀକାର କରିଥିଲେ ମଧ୍ୟ ଏକାପାଖିଆ ଚୁକ୍ତିର କୌଣସି ଅର୍ଥ ନାହିଁ ବୋଲି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି। ୟୁକ୍ରେନର ୩୦ ଦିନିଆ ଅସ୍ତ୍ରବିରତି ଯୋଜନା କେବଳ ଉପର ଠାଉରିଆ ଚୁକ୍ତିରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କ୍ରେମ୍‌ଲିନ ପ୍ରବକ୍ତା ମଧ୍ୟ ସ୍ପଷ୍ଟ କରିଛନ୍ତି। ୟୁକ୍ରେନ ଅଂଚଳରୁ ରୁଷ୍‌ର ସେନା ପ୍ରତ୍ୟାହାର ନେଇ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏବେ ଗୁରୁତ୍ବାରୋପ କରିବା ସହ ବଲ୍ ଏବେ ରୁଷିଆର କୋର୍ଟରେ ରହିଛି ବୋଲି ବୟାନ ଦେଇଥିବାରୁ ଏଥିରେ ରୁଷ୍‌ କ୍ଷୁବ୍ଧ ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.