ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ନୂଆ ଟ୍ବିଷ୍ଟ । ରେସକ୍ୟୁ ଅପରେସନ ସଫଳ ହୋଇଥିବା ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଅପହରଣକାରୀଙ୍କ ଠାରୁ ୩୪୬ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ସମସ୍ତ ୩୩ ଆତଙ୍କୀବାଦୀଙ୍କୁ ନିହତ କରାଯାଇଥିବା ପାକ୍ ସରକାର କହିଛନ୍ତି । ମାତ୍ର ଏହାର ଉପରେ ବଡ଼ ଖୁଲାସା କରିଛି ବିଏଲଏ । ବେଲୁଚି ଲିବରେସନ ଆର୍ମି ଦାବି କରିଛି ଯେ, ଏବେ ବି ତାଙ୍କ ପାଖରେ ୧୫୪ଜଣ ଯାତ୍ରୀ ପଣବନ୍ଦୀ ଅଛନ୍ତି । ଏହାର ଏକ ତାଲିକା ମଧ୍ୟ ଜାରି କରିଛି ସଂଗଠନ । ଏହାଛଡ଼ା କ୍ବେଟା ଷ୍ଟେସନରେ ୨ଶହ କଫିନ୍ ଦେଖାଯାଇଥିବା କୁହାଯାଇଛି ।
୪୦ ପାକ୍ ସୈନ୍ୟକ ଓ ୬୦ ବନ୍ଧକଙ୍କୁ ହତ୍ୟା-
ପାକିସ୍ତାନ ସେନାର ବୟାନକୁ ଖାରଜ କରିଛି ବେଲୁଚି ଲିବରେସନ ଆର୍ମି । ଅପହରଣ କରାଯାଇଥିବା ଟ୍ରେନରେ ୩୪୬ ଯାତ୍ରୀ ନୁହେଁ ୪୨୬ଜଣ ଥିଲେ । ଏମାନଙ୍କ ମଧ୍ୟରେ ୨୧୪ଜଣ ପାକିସ୍ତାନ ସେନାର କର୍ମଚାରୀ ସାମିଲ ଥିଲେ । ବିଏଲଏ କହିଛି, ଟ୍ରେନ୍ ହାଇଜ୍ୟାକ୍ ହେବାର ପ୍ରଥମ ଘଣ୍ଟାରେ ୨୧୨ଜଣ ଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା । ବାକି ପଣବନ୍ଦୀ ଥିବା ଯାତ୍ରୀଙ୍କ ମଧ୍ୟରୁ ୬୦ଜଣଙ୍କୁ ହତ୍ୟା କରାଯାଇଛି । ସେହିପରି ୪୦ଜଣ ସେନା କର୍ମଚାରୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ବିଏଲଏ ଅନୁସାରେ, ୧୫୪ ଯାତ୍ରୀ ଏବେ ବି ପଣବନ୍ଦୀ ହୋଇରହିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକ ପାକିସ୍ତାନ ନାଗରିକ ରହିଛନ୍ତି ।
ମାନବାଧିକାର ସଦସ୍ୟଙ୍କ ଅନୁଯାୟୀ, ପାକିସ୍ତାନର କ୍ବେଟା ରେଳ ଷ୍ଟେସନକୁ ୨ଶହ କଫନ୍ ପଠାଯାଇଛି । ଯେଉଁଥିରେ ମୃତକଙ୍କ ସଂଖ୍ୟା ଅଧିକ ଥିବା ଆଶଙ୍କା କରାଯାଉଛି । ମାନବାଧିକାର କର୍ମୀ ଅମଜାଦ ଅୟୁବ ମିର୍ଜା କହିଛନ୍ତି, ୨ଶହ କଫନ୍ ବାବଦରେ ପାକିସ୍ତାନ ଆର୍ମି ଆଲୋଚନା ନକରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ବାରା ଯବାନଙ୍କ ଜୀବନ ବିପଦରେ ପଡ଼ିପାରେ ।
ସୂଚନା ଅନୁଯାୟୀ, ବେଲୁଚିସ୍ତାନର ସ୍ବାଧୀନତା ଦାବି କରୁଥିବା ବେଲୁଚି ଲିବେରେସନ ଆର୍ମି ମଙ୍ଗଳବାର ବୋଲାନ ଜିଲ୍ଲା ମାଶକାଫ୍ ଅଞ୍ଚଳରେ କ୍ବେଟାରୁ ପେଶାଓ୍ବର ଯାଉଥିବା ଜାଫର ଏକ୍ସପ୍ରେସ ଉପରେ ଆକ୍ରମଣ କରିଥିଲା । ପୂରା ଟ୍ରେନକୁ ଅପହରଣ କରି ନେଇଯାଇଥିଲା ବିଏଲଏ । ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ପଣବନ୍ଦୀ କରି ନେଇଥିଲା । ଟ୍ରେନରେ ୪୨୬ଜଣ ଯାତ୍ରୀ ଥିଲେ ବୋଲି କହିଛି ବେଲୁଚି ଲିବରେସନ ଆର୍ମି ।