ନୂଆଦିଲ୍ଲୀ ୧୩।୦୩: ପାକିସ୍ତାନ ବେଲୁଚିସ୍ତାନରେ ହୋଇଛି ଟ୍ରେନ୍ ହାଇଜାକ୍ । ଏଥିରେ ବହୁତ ଲୋକଙ୍କର ହତ୍ୟା ହୋଇଥିବା କରାଯାଉଛି ଆଶଙ୍କା । ଏହି ଟ୍ରେନକୁ ହାଇଜ୍ୟାକ୍ କରିଛି BLA । ତେବେ ପାକିସ୍ତାନ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି ପ୍ରଥମଥର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିନି । ପୂର୍ବରୁ ମଧ୍ୟ ଅନେକ ଥର ସମସ୍ୟା ସୃଷ୍ଟି କରିଛି । ବିଗତ ଦେଢ଼ ବର୍ଷ ମଧ୍ୟରେ BLA ପାକିସ୍ତାନରେ ବଡ ବଡ ଆକ୍ରମଣ କରିଛି ।
ରିପୋର୍ଟ ଅନୁସାରେ ୩୦ ଜାନୁଆରୀ ୨୦୨୪ରେ କ୍ୱେଟାରୁ ୭୦ କିଲୋମିଟର ଦୂରରେ ଥିବା ମାଚ୍ ସହରରେ BLA ଆକ୍ରମଣ କରିଥିଲା । ଏଠାରେ ରକେଟ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ୩ଟି ଆକ୍ରମଣ କରିଥିଲା। ପାହାଡରୁ ୧୫ରୁ ଅଧିକ ରକେଟ ମାଡ଼ କରାଯାଇଥିଲା । ଯାହା ମାଚ୍ର ବିଭିନ୍ନ ଅଞ୍ଚଳରେ ପଡ଼ି ବିସ୍ଫୋରଣ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ନିହତ ହୋଇଥିଲେ ୨୪ ଜଣ ଆତଙ୍କବାଦୀ ।
୨୦ ମାର୍ଚ୍ଚ ୨୦୨୪ । ଗ୍ୱାଦର ପୋର୍ଟ ଅଥରିଟି କଲୋନୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ BLAର ୮ଜଣ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଏନକାଉଣ୍ଟରରେ ସବୁ ୮ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସୈନିକ ହୋଇଥିଲେ ସହିଦ ।
ଏହାର ଠିକ୍ ୬ ଦିନ ପରେ ଅର୍ଥାତ୍ ୨୬ ମାର୍ଚ୍ଚରେ ତୁର୍ବତରେ ବିସ୍ଫୋରଣ ଏବଂ ଗୁଳିଚାଳନା ହୋଇଥିଲା। ଆତଙ୍କବାଦୀଙ୍କ ଲକ୍ଷ୍ୟ ଥିଲା ପାକିସ୍ତାନର ସବୁଠାରୁ ବଡ଼ ନୌସେନା ଘାଟି ମଧ୍ୟରୁ ଗୋଟିଏ ପିଏନଏସ ସିଦ୍ଦିକି ନୌସେନା ଘାଟି ଉପରେ ଆକ୍ରମଣ କରିବା। ତଥାପି ସୁରକ୍ଷା ବାହିନୀ ଏହି ଆକ୍ରମଣକୁ କରି ଦେଇଥିଲେ ପଣ୍ଡ ।
୧୩ ଅପ୍ରେଲ୍ ୨୦୨୪ । ବେଲୁଚିସ୍ତାନର ନୋଶକି ନିକଟରେ ବସ୍ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ୯ ଜଣଙ୍କୁ କରାଯାଇଥିଲା ହତ୍ୟା । ଆକ୍ରମଣକାରୀମାନେ ଅନ୍ୟ ଏକ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କୁ ମଧ୍ୟ ହତ୍ୟା କରିଥିଲେ।
୨୩ ଜୁନରେ ବିଏଲ୍ଏର ଆତଙ୍କବାଦୀ ହରନାଇ ଜିଲ୍ଲାର ଜରଘୁନ ଅଞ୍ଚଳରେ ଥିବା ଏକ ପିକନିକ୍ ଅଞ୍ଚଳରୁ ୧୪ ଲୋକଙ୍କୁ ଅପହରଣ କରିଥିଲେ ।
୨୬-୨୭ ଅଗଷ୍ଟ ୨୦୨୪ରେ ବେଲୁଚିସ୍ତାନର ବିଭିନ୍ନ ସ୍ଥାନରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ୧୪ ଜଣ ସୁରକ୍ଷା କର୍ମୀ ମଧ୍ୟ ଥିଲେ । BLA ଆତଙ୍କବାଦୀମାନେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଏହାବ୍ୟତୀତ ରେଳ ଟ୍ରାକ ଉଡ଼ାଇ ଦେଇଥିଲେ ଏବଂ ୩ ଡଜନରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ।
୭ ଅକ୍ଟୋବର ୨୦୨୪ରେ କରାଚୀ ବିମାନବନ୍ଦର ବାହାରେ ଚୀନ୍ କାଫିଲେ ଉପରେ ହୋଇଥିଲା ବୋମାମାଡ । ଏହି ବିସ୍ଫୋରଣରେ ୨ ଜଣ ଚୀନ୍ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ଘଟଣାରେ ୮ ଜଣ ଆହତ ହୋଇଥିଲେ । ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ପରେ ପରେ ହୋଇଥିଲା ଏହି ଆକ୍ରମଣ ।
୩୦ ଅକ୍ଟୋବରରେ ମକରାନ ଡିଭିଜନର ପଞ୍ଜଗୁର ଜିଲ୍ଲାରେ ଏକ ନଦୀବନ୍ଧ ନିର୍ମାଣ ସ୍ଥଳ ଉପରେ ବିଏଲଏର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରି ଦେଇଥିଲେ ।
୯ ନଭେମ୍ବରରେ କ୍ୱେଟା ରେଳ ଷ୍ଟେସନରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬ ସୁରକ୍ଷା କର୍ମୀଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହୋଇଥିଲେ ଆହତ ।
୧୭ ନଭେମ୍ବରରେ କଲାତର ଜୋହାନ ଅଞ୍ଚଳରେ ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ୭ ଜଣ ସୈନିକ ସହିଦ ହୋଇଥିଲେ ଏବଂ ୧୮ ଜଣ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ପାଲଟା ଜବାବରେ ୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।
୫ ଜାନୁଆରୀ ୨୦୨୫ରେ କେଚ୍ ଜିଲ୍ଲାର ତୁରବତ ଅଞ୍ଚଳରେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି କୋଚ୍ ୨୪କୁ ଧକ୍କା ଦେଇଥିଲା। ଏଥିରେ ୫ ଜଣ ଏଫସି କର୍ମଚାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୫ ଜଣ ଆହତ ହୋଇଥିଲେ।
ଏହାର ୪ଦିନରେ ଅର୍ଥାତ୍ ୯ ଜାନୁଆରୀରେ ଖୁଜଦାରର ଜେହରି ଜିଲ୍ଲାର ମୁଖ୍ୟ ବଜାରରେ BLA ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଲେଭିଜ୍ ଫୋର୍ସ ଷ୍ଟେସନ୍, ନାଦ୍ରା କାର୍ଯ୍ୟାଳୟ, ମ୍ୟୁନିସିପାଲ୍ କମିଟି ଏବଂ ଏକ ବ୍ୟାଙ୍କ ସମେତ ଅନେକ ସରକାରୀ କୋଠା ପୋଡ଼ି ଦେଇଥିଲେ । ପ୍ରାୟ ୮୦ ଜଣ ଆତଙ୍କବାଦୀ ପାହାଡରୁ ଆସି ସମଗ୍ର ଅଞ୍ଚଳରେ ଘେରି ଯାଇଥିଲେ । ପରେ ସେମାନେ ଏକ ଘରୋଇ ବ୍ୟାଙ୍କ ଉପରେ ଆକ୍ରମଣ କରି ୯୦ ନିୟୁତ ଟଙ୍କା ଲୁଟି ନେଇଥିଲେ।
୧ ଫେବୃଆରରେ ବେଲୁଚିସ୍ତାନର କଲାତ ଜିଲ୍ଲାରେ ରାତିସାରା ହୋଇଥିବା ଏକ ବିଦ୍ରୋହୀ ଆକ୍ରମଣରେ ୧୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୩ ମାର୍ଚ୍ଚରେ ବେଲୁଚିସ୍ତାନର କଲାତ ଜିଲ୍ଲାରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀ ସେନାର କାଫେଲେ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସୈନିକ ସହିଦ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିଲେ ।