'ନିହତ ୩ ଆତଙ୍କୀ ପାକିସ୍ତାନର କି' ପଚାରିଲେ ଚିଦାମ୍ବରମ୍‌: ସଂସଦରେ ପ୍ରମାଣ ଦେଲେ ଅମିତ ଶାହ

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ: ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ। ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ। ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିଛୁ। ଆର୍ମି, ସିଆରପିଏଫ୍‌, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନ ମହାଦେବକୁ ମିଳିଛି ବଡ଼ ସଫଳତା। ଅପରେସନ ସିନ୍ଦୂର’ ବିତର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ସଂସଦରେ ମତ ରଖିଛନ୍ତି ଅମିତ ଶାହ। ପହଲଗାମକୁ ୩ ଆତଙ୍କବାଦୀ କେଉଁ ବାଟ ଦେଇ ଆସିଥିଲେ ତାହା ଗୃହକୁ ଜଣାଇଛନ୍ତି। ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ।

ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ପ୍ରମାଣ ମାଗିବାକୁ ନେଇ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ଅମିତ ଶାହ। ପୂର୍ବତନ ଗୃହ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ୍‌ କରିଛନ୍ତି। ଆତଙ୍କୀଙ୍କ ଭୋଟର ଆଇଡି ଆମର ହସ୍ତଗତ ଜବତ ହୋଇଛି। ୩ ଆତଙ୍କୀଙ୍କ ମରଶରୀର ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ହୋଇସାରିଛି। ସେମାନେ ବ୍ୟବହାର କରିଥିବା କାଟ୍ରିଜର FSL ରିପୋର୍ଟ ହସ୍ତଗତ ହୋଇଛି। ସିନ୍ଧୁ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ଶାହ। 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଆତଙ୍କବାଦୀଙ୍କୁ ଖୋଜୁଥିଲା। ସେନା ସମଗ୍ର ଉପତ୍ୟକାରେ ଏକକାଳୀନ ଅନେକ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲା। ଏହା ସହିତ, ସନ୍ଦିଗ୍ଧ ଲୋକଙ୍କୁ ପଚରାଉଚରା କରୁଥିଲା। ସୋମବାର ଜଣାପଡିଥିଲା ଯେ ପହଲଗାମରେ ଲୋକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନେ ଜଙ୍ଗଲରେ ଲୁଚି ରହିଛନ୍ତି।

ଇନପୁଟ୍ ପରେ ସେନା ତୁରନ୍ତ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେମାନଙ୍କୁ ପ୍ରଥମେ ସେନା ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରିଥିଲା। ପରେ, ରାଷ୍ଟ୍ରୀୟ ରାଇଫଲ୍ ସେନା ସେମାନଙ୍କୁ ହତ୍ୟା କରିଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁଲେମାନି ଶାହ(ମୁସା)। ସେ ଲସ୍କର-ଏ-ତୈବା (LET)ର ସଦସ୍ୟ ଥିଲା। ତାକୁ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ କୁହାଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତମାନଙ୍କୁ ସେନା ଦ୍ୱାରା ନିହତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.