ମୈସୁର ୨୯।୪: ଦେଶର ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ରୁ ଟ୍ରେନିଙ୍କ ଛଟେଇ ଥମୁନି । କମ୍ପାନୀ ପୁଣି ଥରେ ଏକ ବଡ଼ ନିଷ୍ପତ୍ତି ନେଇଛି ଓ ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀର ଇଣ୍ଟରନାଲ ଆସେସମେଣ୍ଟରେ ଫେଲ ହୋଇଥିବା ମୈସୁର କ୍ୟାମ୍ପସରୁ ୧୯୫ ଜଣ ଟ୍ରେନିଂଙ୍କୁ ବିଦା କରି ଦିଆଯାଇଛି। କମ୍ପାନୀ ଇ-ମେଲ ମାଧ୍ୟମରେ ଏହି ଲେ ଅଫର ସୂଚନା ଦେଇଛି। ଚଳିତମାସ ପ୍ରାରମ୍ଭରେ କମ୍ପାନୀ ୨୪୦ ଟ୍ରେନିଙ୍କୁ କାମରୁ ବାହାର କରିଦେଇଥିଲା।
କମ୍ପାନୀ ବାହାର କରିଥିବା ଟ୍ରେନିମାନଙ୍କୁ ଏନଆଇଆଇଟି ଓ ଅପଗ୍ରେଡେସନ ସହିତ ଟ୍ରେନିଂ କୋର୍ସ ଅଫର କରିଛି। ଏ ବାବଦ ସମସ୍ତ ବ୍ୟୟ କମ୍ପାନୀ ନିଜେ ବହନ କରିବ। ଏହିକାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୨୫୦ ଜଣ ଟ୍ରେନି ଅପଗ୍ରେଡ ସହିତ ଏନଆଇଆଇଟିରୁ ଟ୍ରେନିଂ ସମାପ୍ତ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୫୦ ଜଣ ଆଉଟ୍ ପ୍ଲେସମେଣ୍ଟ ପାଇଁ ରେଜିଷ୍ଟ୍ରେସନ କରାଇଛନ୍ତି। ଟ୍ରେନିଙ୍କୁ ଚାକିରୀରୁ ବାହାର କରିବା ପାଇଁ କମ୍ପାନୀ ଦ୍ୱିତୀୟ ପର୍ଯ୍ୟାୟ କାଳରେ ଏନଆଇଆଇଟି ଓ ଅପଗ୍ରେଡ ସହିତ ଟ୍ରେନିଂ କୋର୍ସ ଅଫର କରିଥିଲା।
କମ୍ପାନୀ ବିଜନେସ୍ ପ୍ରୋସେସ ମ୍ୟାନେଜମେଣ୍ଟ (ବିପିଏମ) ଇଣ୍ଡଷ୍ଟ୍ରିରେ ସମ୍ଭାବିତ ଭୂମିକା ଲାଗି ଗୋଟିଏ ମାସର ବେତନ, ଆଉଟ୍ ପ୍ଲେସମେଣ୍ଟ ସର୍ଭିସେସ, ୧୨ ସପ୍ତାହର ଟ୍ରେନିଂ ପ୍ରୋଗ୍ରାମ ଅଥବା ଆଇଟି କ୍ୟାରିୟ ରୁଟ ନିମନ୍ତେ ଆଇଟି ବେସିକ୍ ପ୍ରିନ୍ସପଲ ଉପରେ ୨୪ସପ୍ତାହର ଟ୍ରେନିଂ ପ୍ରୋଗ୍ରାମ ଅଫର କରୁଛି।
୨୦୨୫ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୧୫ ହଜାର ଟ୍ରେନିଙ୍କୁ ନିଯୁକ୍ତ କରିଥିଲା। ତେବେ ଟ୍ରେନିଂ କାଳରେ ଇଭାଲ୍ୟୁଏସନରେ ଅସଫଳ ହୋଇଥିବା ଟ୍ରେନିଙ୍କ ସଂଖ୍ୟା ବୃଦ୍ଧି ଯୋଗୁ କମ୍ପାନୀକୁ ଏହି ପଦକ୍ଷେପ ନେବାକୁ ପଡୁଛି। ଚଳିତବର୍ଷ ଫେବୃଆରୀରୁ ଏ ପର୍ଯ୍ୟନ୍ୟ ୮୦୦ ଟ୍ରେନିଙ୍କୁ ବାହାର କରାଗଲାଣି। ଏହି ଟ୍ରେନିମାନେ କମ୍ପାନୀର ଇଣ୍ଟରନାଲ ଆସେସମେଣ୍ଟକୁ ୩ ଥର ଉଦ୍ୟମ ପରେ ବି ଉତୀର୍ଣ୍ଣ ହୋଇ ପାରିନଥିଲେ। ଏଣୁ କମ୍ପାନୀ ଫେବୃଆରୀ ମାସରେ ପ୍ରଥମ ଥର ୩୨୦ ଜଣ ଟ୍ରେନିଙ୍କୁ ବାହାର କରିଦେଇଥିଲା। ଏହା ପରେ କମ୍ପାନୀ ୨୪୦ ଟ୍ରେନିଙ୍କୁ ବାହାର କରିଥିବା ବେଳେ ଏବେ ୧୯୫ ଜଣଙ୍କୁ ବାହାର କରିଛି। ତେବେ କମ୍ପାନୀ ଏହି ଯୁବ ବର୍ଗଙ୍କୁ ମାଗଣାରେ ନୂଆ ସ୍କିଲସ୍ ଶିଖିବାକୁ ସୁଯୋଗ ଦେଇଛି, ଯାହା ଦ୍ୱାରା ସେମାନେ ଭଲ ଚାକିରୀ ପାଇ ପାରିବେ।