ଚିକିଟି ମଦ୍ୟପାନ ଘଟଣାରେ ଗଲା ଆଉ ଜଣଙ୍କ ଜୀବନ, ଏବେ ସୁଦ୍ଧା ହେଲାଣି ୪ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | September 02, 2024 IST

ବ୍ରହ୍ମପୁର ୦୨।୦୯ : ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା । ଚାଲିଗଲା ଆଉ ଜଣଙ୍କର ଜୀବନ । ମୃତକ ହେଉଛନ୍ତି କରବାଲୁଆ ଗାଁର ବାୟା ସେଠୀ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଚିକିଟି ମଦ୍ୟପାନ ଘଟଣାରେ ଚାଲିଗଲାଣି ୪ ଜଣଙ୍କ ଜୀବନ । 

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ରେ ବିଷାକ୍ତ ମଦ ଜଣଙ୍କ ପରେ ଅନ୍ୟ  ଜଣଙ୍କ ଜୀବନ ନେଇ ଚାଲିଛି । ଗାଁ  ଶ୍ମଶାନ ଖାଲି ପଡୁନି । ଜଣକ ଶୁଦ୍ଧିକ୍ରିୟା ନ ସରୁଣୁ ଆଉ ଜଣଙ୍କ ଜୁଈ ଜଳୁଛି ।  ଦୁଇ ସପ୍ତାହ ମଧ୍ୟରେ ୪ ଜଣଙ୍କ  ମୃତ୍ୟୁ ହେଲାଣି । ଜେନାପୁର ପଠାଣ  ସାହିର ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବାୟାଙ୍କ ମୃତ୍ୟୁ  ହୋଇଛି । ଏହା ପୂର୍ବରୁ ଜେନାପୁର ଗାଁର ଜୁର ବେହେରା, ତାପରେ ଲୋକନାଥ ବେହେରା ଏବଂ ଗତକାଲି  ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଚିକିଟି ବିଷାକ୍ତ  ମଦମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲରେ ୩ ଜଣ  ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ  ସ୍ୱାସ୍ଥ୍ୟ ଗୁରୁତର ଥିବା ଡାକ୍ତର କହିଛନ୍ତି ।  ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଏବେ  ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି । ଗାଁରେ  ମଦମୃତ୍ୟୁକୁ ନେଇ ଅସନ୍ତୋଷ ଦେଖାଦେଇଛି ।  ଜଣଙ୍କ ପରେ ଆଉ ଜଣେ ରୋଜଗାରିଆ ଲୋକଙ୍କ  ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାର  ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । 

ତେବେ ବାୟା ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ସ୍ତ୍ରୀ ଓ ତିନିଝିଅଙ୍କୁ ନେଇ ରହୁଥିଲେ। ଦୁଇଝିଅ ବିବାହ କରିସାରିଥିବା ବେଳେ ସାନଝିଅର ବାହାଘର ମଧ୍ୟ ଠିକ୍‌ ହୋଇସାରିଛି । ପୂର୍ବରୁ ଘଟଣାରେ ମୃତ୍ୟୁ ହୋଇଥିବା ଜୁର,  ଲୋକନାଥ ଓ ଲକ୍ଷ୍ମଣ ଜେନାପୁର ବାସିନ୍ଦା ହୋଇଥିବା ବେଳେ କରବଲୁଆ ଗ୍ରାମର ପ୍ରଥମ ମୃତ୍ୟୁ ବାୟା। ରବିବାର ସନ୍ଧ୍ୟାରେ ବ୍ୟବଚ୍ଛେଦ ପରେ ବାୟାଙ୍କ ଶବ କରବାଲୁଆ ଗାଁକୁ ନିଆଯାଇଥିଲା। ସଶସ୍ତ୍ର ପୁଲିସ  ବାହିନୀ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.