ଭାରତକୁ ନେଇ ଏମିତି କହିଲେ ମେଟା ସିଇଓ: ଜୁକର ବର୍ଗଙ୍କ କଥାରେ ତାତିଲେ କେନ୍ଦ୍ରମନ୍ତ୍ରୀ, କହିଲେ...

Published By : Prameya-News7 Bureau | January 13, 2025 IST

indiatoday

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଫଳାଫଳକୁ ନେଇ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜୁକରବର୍ଗଙ୍କ ବୟାନ ତଥ୍ୟାତ୍ମକ ଭାବେ ଭୁଲ ବୋଲି ସେ କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ମାର୍କ ଜୁକରବର୍ଗ ବିଶେଷ କରି ଭାରତ ସମେତ ଅନ୍ୟ ଦେଶଗୁଡ଼ିକର ନିର୍ବାଚନ ଫଳାଫଳ ନେଇ ଟିପ୍ପଣୀ କରିଥିଲେ। ୨୦୨୪ ନିର୍ବାଚନରେ ଶାସକ ଦଳ ହାରି ଯାଇଛନ୍ତି ବୋଲି କହିଥିଲେ। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶନ୍ତୋଷ ବ୍ୟକ୍ତ କରିଛନ୍ତି। 


ଜୋ ରାଗନଙ୍କର ଏକ ପଡକାଷ୍ଟରେ ପ୍ରତିକ୍ରିୟା ଦେଇ ଜୁକରବର୍ଗ କହିଛନ୍ତି “୨୦୨୪ ସାରା ବିଶ୍ୱରେ ଏକ ବଡ଼ ନିର୍ବାଚନ ବର୍ଷ ଥିଲା। ଭାରତ ପରି ପ୍ରାୟ ସବୁ ଦେଶରେ ନିର୍ବାଚନ ହୋଇଥିଲା। ଆଉ ପ୍ରତ୍ୟୋକ ଦେଶରେ କ୍ଷମତାଶୀନ ସରକାରଗୁଡ଼ିକ ପରାଜିତ ହୋଇଥିଲେ। ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, କୋଭିଡରେ ଅର୍ଥନୀତି ସୁଧାରିବାର ନୀତି କିମ୍ବା କୋଭିଡକୁ ସରକାର କେମିତି ମୁକାବିଲା କଲେ ଆଦି ସବୁ କାରଣ ବିଶ୍ୱ ସ୍ତରରେ ପ୍ରଭାବ ପକାଇଥିଲା। ଏଥିପାଇଁ ଗଣତାନ୍ତ୍ରୀକ ସରକାରଗୁଡ଼ିକ ଉପରେ ଲୋକମାନଙ୍କର ବିଶ୍ୱାସ କମି ଯାଇଥିଲା।”

ବିଶେଷ ଭାବରେ ଭାରତର ନାଁ ନେଇ ଜୁକରବର୍ଗ ଏଭଳି ବୟାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆ ଯାଇଛି। ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ପରାଜିତ ହେବା ତଥ୍ୟାତ୍ମକ ଭାବେ ଭୁଲ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। 

ବୈଷ୍ଣବ କହିଛନ୍ତି “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ, ଭାରତ ୬୪୦ ନିୟୁତରୁ ଅଧିକ ଭୋଟରଙ୍କୁ ନେଇ ୨୦୨୪ ନିର୍ବାଚନ କରିଥିଲା। ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ପୁଣିଥରେ ସେମାନଙ୍କର ବିଶ୍ୱାସ ପ୍ରକଟ କରିଥିଲେ। ତେବେ କୋଭିଡ୍ ପରବର୍ତ୍ତୀ ନିର୍ବାଚନରେ ଭାରତ ସମେତ ଅଧିକାଂଶ କ୍ଷମତାସୀନ ସରକାର ହାରିଗଲେ ବୋଲି ଶ୍ରୀଯୁକ୍ତ ଜୁକରବର୍ଗଙ୍କ ଯେଉଁ ଦାବି କରିଛନ୍ତି ତାହା ତଥ୍ୟଗତ ଭାବରେ ଭୁଲ।”

ଏହାପରେ କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କର ଉନ୍ନତ ପରିଚାଳନା ବିଷୟରେ କହି ବୈଷ୍ଣବ ଦର୍ଶାଇଥିଲେ ଯେ ଏନଡିଏ ୨୦୨୪ ନିର୍ବାଚନରେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା। କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ହାସଲ କରିଥିଲା। ମହାମାରୀ ସମୟରେ ସରକାର ଅନେକ ପଦକ୍ଷେପ ନେଇଥିଲେ। ଯେଉଁଥିରେ ୮୦୦ ନିୟୁତ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ, ୨.୨ ବିଲିୟନ ମାଗଣା ଟିକା ପ୍ରଦାନ ଏବଂ ଆନ୍ତର୍ଜାତୀୟ ସହାୟତା ପ୍ରଦାନ  ଆଦି ଥିଲା। ତେଣୁ ଏହା ମୋଦୀ ସରକାରଙ୍କର ପ୍ରଭାବଶାଳୀ ଶାସନକୁ ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। 

ଏଥିସହିତ ମେଟା ସିଇଓଙ୍କ ଦ୍ୱାରା ଭ୍ରମାତ୍ମକ ତଥ୍ୟ ପ୍ରଚାର କରାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ମେଟା, ଶ୍ରୀଯୁକ୍ତ ଜୁକରବର୍ଗ ଏଭଳି ଭୁଲ ସୂଚନା ଦେବା ନିରାଶାଜନକ। ଆସନ୍ତୁ ଆମେ ତଥ୍ୟ ଏବଂ ବିଶ୍ୱସନୀୟତାକୁ ବଜାୟ ରଖିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.