ଜାମ୍ମୁକୁ ଆତଙ୍କବାଦ ମୁକ୍ତ ଅଞ୍ଚଳ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 16, 2024 IST

indiatoday

ନୂଆଦିଲ୍ଲୀ: ନିକଟରେ ଜାମ୍ମୁ-କାଶ୍ମୀରର ରିଆସୀ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ସଜାଗ ହୋଇଯାଇଛନ୍ତି। ଜାମ୍ମୁକୁ ଆତଙ୍କବାଦ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଏନେଇ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ଶାହ ଜାମ୍ମୁରେ ଆତଙ୍କବାଦ ସମର୍ଥକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆଗାମୀ ଅମରନାଥ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି।

ତୀର୍ଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୃହମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିବା ସହ ସମସ୍ତ  ରାସ୍ତାରେ ଏବଂ ପ୍ରମୁଖ ସ୍ଥାନଗୁଡିକର ନିରାପତ୍ତା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦକୁ ଦୃଢ଼ ହସ୍ତରେ ଦମନ କରିବା ସହିତ କୌଣସି ବି ପରିସ୍ଥିତିରେ ଆତଙ୍କବାଦର ପୁନରଉତ୍ଥାନକୁ ସମାପ୍ତ କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି। କାଶ୍ମୀର ଉପତ୍ୟାକାରେ ଶୂନ୍ୟ ଆତଙ୍କବାଦ ଯୋଜନା କରି ଯେଉଁଭଳି ସଫଳତା ମିଳିଥିଲା ତାହା ଜାମ୍ମୁରେ ଆରମ୍ଭ କରିବାକୁ ଶାହ କହିଛନ୍ତି।  

ସବୁ ଧାର୍ମିକ ସ୍ଥାନଗୁଡ଼ିକରେ ସୁରକ୍ଷା କର୍ମୀ ମୁତୟନ ସହିତ ରାଜପଥରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରିବା, ଏବଂ ଜାମ୍ମୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ ତଥା ସେମାନଙ୍କ ସମର୍ଥକଙ୍କୁ ଟ୍ରାକ କରିବା ପାଇଁ ମାନବ ଗୁପ୍ତଚର ବ୍ୟବହାର କରାଯିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଦେଶୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଦ୍ୱାର ବନ୍ଦ କରିବାକୁ ଗୃହମନ୍ତ୍ରୀ କହିଛନ୍ତି।

ଆଜିର ବୈଠକରେ ଜୁନ୍ ୨୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୯ରେ ଶେଷ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା କବଚର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ସେନା ମୁଖ୍ୟ-ନିଯୁକ୍ତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ନିର୍ଦ୍ଦେଶକ ଅନିଷ ଦିୟାଲ ସିଂହ, ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଆର.ଆର ସିଂ ଏବଂ ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ।

ଏହାର ୩ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜାମ୍ମୁକାଶ୍ମୀରରେ ଆତଙ୍କବାଦ ନେଇ ବୈଠକ କରିବା ସହିତ ଏହା ବିରୋଧରେ ଫୁଲ୍ ଦମ୍‌ରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଜାମ୍ମୁ କାଶ୍ମୀରର ରିଆସି, କାଠୁଆ ଏବଂ ଡୋଡା ଜିଲ୍ଲାର ଆତଙ୍କବାଦୀମାନେ ଚାରିଟି ସ୍ଥାନରେ ଆକ୍ରମଣ କରିଛନ୍ତି। ଏଥିରେ ୯ ଜଣ ତୀର୍ଥଯାତ୍ରୀ ଏବଂ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ସୁରକ୍ଷା କର୍ମୀ ଏବଂ ଅନ୍ୟ ଅନେକ ଆହତ ହୋଇଥିଲେ। ସେହିପରି କାଠୁଆ ଜିଲ୍ଲାରେ ସେନା ଏନ୍‌କାଉଣ୍ଟରେ ୨ ପାକିସ୍ତାନୀ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା। ଦକ୍ଷିଣ କାଶ୍ମୀର ହିମାଳୟର ଅମରନାଥ ଗୁମ୍ଫା ମନ୍ଦିରକୁ ବାର୍ଷିକ ତୀର୍ଥଯାତ୍ରା ଆରମ୍ଭରୁ ପୂର୍ବରୁ କେନ୍ଦ୍ର ସରକାର ତତ୍‌ପର ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.