ଲୋକସଭାରେ ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ, ଇଣ୍ଡି ମେଣ୍ଟ ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ । ଏହା ଉପରେ କଂଗ୍ରେସ ମଙ୍ଗଳବାର ମୋହର ମାରିଛି । କଂଗ୍ରେସ ପାର୍ଟି ପକ୍ଷରୁ ଦଳର ମହାସଚିବ କେସି ବେଣୁଗୋପାଳ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାଁ ପ୍ରୋଟେମ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କ ନିକଟକୁ ପଠାଯାଇଛି । ଖବର ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳ ନେତାଙ୍କ ବୈଠକ ହୋଇଥିଲା, ଯେଉଁଠି ଏହି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସର ବରିଷ୍ଠ ନେତା ଏବଂ ସାଂସଦ କେସି ବେଣୁଗୋପାଳ ମଙ୍ଗଳବାର ରାତିରେ ଖଡଗେଙ୍କ ଘର ହୋଇଥିବା ଇଣ୍ଡି ମେଣ୍ଟର ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ଗୃହର ନେତା କରିବା ଉପରେ ଚର୍ଚ୍ଚା ହୋଇଥିଲା । ଏହାସହ ବୈଠକେ ତାଙ୍କୁ ବିରୋଧୀ ନେତା କରିବା ପାଇଁ ପ୍ରୋଟେମ୍ ବାଚସ୍ପତିଙ୍କୁ ପତ୍ର ଦିଆଯାଇଛି ।



ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ୱାର୍କିଂ କମିଟି ବୈଠକରେ ସର୍ବସମ୍ମତିରେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା କରିବା ପାଇଁ ଦାବି ଉଠିଥିଲା । ବୈଠକରେ ସିଡବ୍ଲୁସି କମିଟି ସଦସ୍ୟ ପ୍ରସ୍ତାବ ପାରିତ କରିଥିଲା । ଏହାପରେ ରାହୁଲ ଗାନ୍ଧୀ ଏହା ଉପରେ ବିଚାର କରିବା ପାଇଁ ସିଡବ୍ଲୁସି ସଦସ୍ୟଙ୍କୁ କିଛି ସମୟ ମାଗିଥିଲେ । ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ମେଣ୍ଟଙ୍କ ଏହି ପଦକ୍ଷେପ ବାଚସ୍ପତି ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ନିଆଯାଇଛି । ବୁଧବାର ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ଲୋକସଭା ବାଚସ୍ପତି ପଦକୁ ନେଇ ନିର୍ବାଚନ ହେବ । ଏନଡିଏ ପକ୍ଷରୁ ରାଜନାଥ କୋଟା ଆସନରୁ ନିର୍ବାଚିତ ବିଜେପି ସାଂସଦ ଓମ୍ ବିର୍ଲା ମୈଦାନରେ ଅଛନ୍ତି ଏବଂ ଇଣ୍ଡି ମେଣ୍ଟରୁ କେରଳରୁ 8ଥର ସାଂସଦ କେ ସୁରେଶଙ୍କୁ ନିଜର ପ୍ରାର୍ଥୀ କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.