ନିର୍ମଳା ସୀତାରମଣଙ୍କ ବିରୋଧରେ FIR ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ, ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Published By : Prameya-News7 Bureau | September 28, 2024 IST

ବେଙ୍ଗାଲୁରୁ ୨୮।୯: ବେଙ୍ଗାଲୁରୁର ଏକ କୋର୍ଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଏତଲା ରୁଜୁ ନିମନ୍ତେ ଆଦେଶ ଦେଇଛନ୍ତି। ଅର୍ଥମନ୍ତ୍ରୀଙ୍କ ଉପରେ ବନ୍ଦ ହୋଇସାରିଥିବା ନିର୍ବାଚନ ବଣ୍ଡ ମାଧ୍ୟମରେ କଥିତ ଟଙ୍କା ଅସୁଲ କରିବାର ଅଭିଯୋଗରେ କୋର୍ଟ ଏହି ଆଦେଶ ଦେଇଛନ୍ତି। ଏବେ ମାମଲାରେ କଂଗ୍ରେସ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି। ବେଙ୍ଗାଲୁରୁ ଜନପ୍ରତିନିଧିଙ୍କ ସ୍ୱତନ୍ତ୍ର କୋର୍ଟରେ ନିର୍ବାଚନ ବଣ୍ଡ ମାଧ୍ୟମରେ ଅର୍ଥ ଅସୁଲି ପାଇଁ ନିର୍ମଳା ସୀତାରମଣ ଓ ଅନ୍ୟଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କରାଯାଇଥିଲା। 

ଶୁଣାଣି ପରେ କୋର୍ଟ ବେଙ୍ଗାଲୁରୁ ତିଲକନଗର ଥାନାକୁ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ବଣ୍ଡ ମାଧ୍ୟମରେ ଜୋର ଜବରଦସ୍ତ ଟଙ୍କା ଆଦାୟ ଅପରାଧରେ ଏତଲା ରୁଜୁ ନିମନ୍ତେ ଆଦେଶ ଦେଇଛନ୍ତି। ମାମଲାରେ ରାଜ୍ୟ କଂଗ୍ରେସ ଏବେ ବିଜେପି ଉପରେ ଆକ୍ରମକ ହୋଇ ଉଠିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ସିଦ୍ଦାରମୈୟା କର୍ଣ୍ଣାଟକ ବିଜେପି ଉପରେ ବର୍ଷିଥିବା ବେଳେ କଥିତ ଅନିୟମିତତାରେ ସୀତାରମଣଙ୍କ ବିରୋଧରେ କେବେ ବିକ୍ଷୋଭ କରିବେ ଓ ଇସ୍ତଫା ଦାବି କରିବେ ବୋଲି ପ୍ରଶ୍ନ କରିଛନ୍ତି। 

ସିଦ୍ଦାରମୈୟା କହିଛନ୍ତି ଯେ ଯଦି ମାମଲାର ନିରପେକ୍ଷ ତଦନ୍ତ କରାଯାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ସହିତ କେନ୍ଦ୍ରମନ୍ତ୍ରୀ ଏଚ.ଡି. କୁମାର ସ୍ୱାମୀଙ୍କ ଇସ୍ତଫା ଦାବି ହେବା ଦରକାର। ଏ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। କୁମାର ସ୍ୱାମୀ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋର ଓ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ତେବେ ନିର୍ବାଚନ ବଣ୍ଡ ବାବଦ ଅର୍ଥ କଣ ମନ୍ତ୍ରୀଙ୍କ ଆକାଉଣ୍ଟକୁ ଯାଇଛି? ଏଣୁ ସୀତାରମଣ କାହିଁକି ଇସ୍ତଫା ଦେବେ ଓ ମୁଁ କାହିଁକି ଇସ୍ତଫା ଦେବି ଜଣାଇବା ଜରୁରି ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.