ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ, ରବିବାର ଶପଥ ଗ୍ରହଣ

Published By : Prameya-News7 Bureau | September 28, 2024 IST

ବେଙ୍ଗାଲୁରୁ: ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ସହ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ଏହା ପୂର୍ବରୁ ଉଦୟନିଧିଙ୍କ ପଦୋନ୍ନତିକୁ ଦୁଇ ଥର ଏଡାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି । ରାଜ୍ୟପାଳ ମଧ୍ୟ ତାଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି । ରବିବାର ଅପରାହ୍ଣ ସାଢେ ତିନିଟାରେ ଚେନ୍ନାଇ ରାଜଭବନରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ହେବ । ଉଦୟନିଧି ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନରେ ନେଇ ସଂକେତ ଦେଇଥିଲେ । ସେବେଠାରୁ ଉଦୟନିଧି ଷ୍ଟାଲିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାସହ ଡ.ଗୋଭି.ଚେଝିଆନ ଏବଂ ଆର୍ ରାଜେନ୍ଦ୍ରନ, ଥିରୁ ଏସଏମ ନାସରଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଏହାସହ ସୁପ୍ରିମକୋର୍ଟରୁ ଜାମିନରେ ମୁକୁଳିଥିବା ବିବାଦୀୟ ବିଧାୟକ ସେନ୍ଥିଳ ବାଲାଜୀଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରାଯାଇଛି । 

ମନ୍ତ୍ରିମଣ୍ଡଳରୁ ଦୁଗ୍ଧ ଏବଂ ଡାଏରୀ ବିକାଶ ମନ୍ତ୍ରୀ ଟି.ମାନୋ ଥଙ୍ଗାରାଜ, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କେ.ଏସ୍. ମସ୍ଥାନ ଏବଂ ପର୍ଯ୍ୟଟନ ମନ୍ତ୍ରୀ କେ.ରାମଚନ୍ଦ୍ରନଙ୍କୁ ମନ୍ତ୍ରିପରିଷଦରୁ ହଟାଇବା ପାଇଁ ସୁପାରିସ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସାପୁରିସକୁ ରାଜ୍ୟପାଳ ମଞ୍ଜୁରି ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.