ପ୍ରଣବଙ୍କ ସରକାରୀ କ୍ଵାର୍ଟର୍ସରେ ଭଙ୍ଗା ଘଟଣା, କାହା ଅନୁମତିରେ ନିର୍ମାଣ ହୋଇଥିଲା, କାହା ଅନୁମତିରେ ଭଙ୍ଗା ଚାଲିଛି ?

Published By : Prameya-News7 Bureau | June 26, 2024 IST

ଭୁବନେଶ୍ଵର:  ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ  ସରକାରୀ କ୍ବାର୍ଟର୍ସ ପରିସରରେ କିଛି ନିର୍ମାଣ ଭଙ୍ଗାଯିବାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସରକାରୀ କ୍ବାର୍ଟର୍ସ ପରିସରରେ ନିର୍ମାଣକୁ ନେଇ ପ୍ରଶ୍ନ ଉଠିଥିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଏ ଅଧିକାରୀ । ବିବାଦ ପରେ ପ୍ରଣବ କହିଛନ୍ତି  ସେ ଯେମିତି କ୍ବାର୍ଟର ପାଇଥିଲେ ସେହିଭଳି ଅବସ୍ଥାରେ କ୍ବାର୍ଟର ଫେରାଇବେ। ସେପଟେ ପଡ଼ୋଶୀ କ୍ବାର୍ଟରରେ  ରହୁଥିବା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗକୁ ନେଇ କ୍ୟାପିଟାଲ ଥାନରେ ମାମଲା ହୋଇଛି। 

ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ   ସରକାରୀ କ୍ବାର୍ଟର୍ସ ପରିସରରେ କିଛି ନିର୍ମାଣ ଭଙ୍ଗାଯିବାକୁ ନେଇ ଆଜି ଦିନ ତମାମ ଲାଗି ରହିଥିଲା ଚର୍ଚ୍ଚା । ଚର୍ଚ୍ଚା ଏହା କି ସରକାରୀ କ୍ବାର୍ଟର୍ସ ଭିତରେ ଆଲିସାନ ଘର, ଅଣ୍ଡରଗ୍ରାଉଣ୍ଡ, ସୁଇମିଂ ପୁଲ ଓ କଟେଜ୍ ହାଉସ ନିର୍ମାଣ କରାଯାଇଥିଲା ।   ହଠାତ୍ ଖବର ଆସିଥିଲା ସେଗୁଡ଼ିକ ଭଙ୍ଗା ଯାଉଛି। ଆଉ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ଗଣମାଧ୍ୟମ । 

Also read: ସଂସଦରେ କଠୋର ଆଭିମୁଖ୍ୟ ରଖିବ ବିଜେଡି, ଲଢେଇ ଆରପାର ହେବ

ତେବେ  କାହା ଅନୁମତିରେ ସରକାରୀ କ୍ବାର୍ଟର୍ସ ପରିସରରେ  ଏସବୁ ନିର୍ମାଣ କରାଯାଇଥିଲା ପୁଣି କାହା ଅନୁମତିରେ ଏସବୁ ଭଙ୍ଗା ଚାଲିଛି ତାକୁ ନେଇ ହୋଇଥିଲା ହଇଚଇ । ଏଭଳି ଘଟଣା ଦିନ ତମାମ ଚାଲିଥିବା ବେଳେ ସାମ୍ନାକୁ ଆସିଥିଲା ପ୍ରଣବ ପ୍ରକାଶଙ୍କ ଭିଡିଓ ବାର୍ତ୍ତା । ଯେଉଁଥିର ସେ   କହିଛନ୍ତି ଯେ,   ଯେଉଁଭଳି ଅବସ୍ଥାରେ  କ୍ବାର୍ଟର ନେଇଥିଲେ ଏବେ ସେହିଭଳି ଅବସ୍ଥାରେ କ୍ବାର୍ଟର ଫେରାଇବେ ।  ଯେହେତୁ ସେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ଅଛନ୍ତି ତେଣୁ ଦଳର ଅନେକ କର୍ମୀ ଓ ନେତା ତାଙ୍କ ପାଖକୁ ଆସୁଥିଲେ । ସେମାନଙ୍କ ସହ ବସି ଆଲୋଚନା କରିବା ଲାଗି କ୍ବାର୍ଟର୍ସ ପରିସରରେ ଏସବୁ ଅସ୍ଥାୟୀ ଘର ନିର୍ମାଣ କରାଯାଇଥିଲା । ଏଥି ପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । 

ସେପଟେ ଆଜି ଘଟଣାସ୍ଥଳ ବୁଲି ସ୍ଥିତି ପରଖିଛନ୍ତି ଜିଏ ଅଧିକାରୀ । କହିଛନ୍ତି ଆମେ ଯାହା ବୁଲି ଦେଖିଲୁ  ମୂଳ କ୍ବାର୍ଟର ଯାହା ଯେମିତି ଥିଲା, ସେମିତି ରହିଛି I ବାହାରେ ଯେଉଁ ଜାଗା ଥିଲା ସେଠାରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛି I ଗୋଟିଏ ଷ୍ଟିଲ ଷ୍ଟକ୍ଟରରେ ହୋଇଛି I ଏବଂ ଅନ୍ୟଟି ବେସ୍ ମେଣ୍ଟଙ୍କୁ ଯିବା ପାଇଁ ରାସ୍ତା କରାଯାଇଥିଲା I  ଏହି ଷ୍ଟ୍ରକଚର ଦୁଇଟି ସଂପୂର୍ଣ୍ଣ ଭଙ୍ଗାଯାଇଛି I କିଛି ଜଣାପଡ଼ୁନି ତାହା ଭିତରେ କଣ ଥିଲା କଣ ନଥିଲା I ସେଇଟା ଅରଜିନାଲ କ୍ବାର୍ଟର ନୁହେଁ I ସେ ଏକ୍ସଟ୍ରା ଜାଗାରେ ତିଆରି କରିଥିଲେ Iପରମିଶନ କେବେ ଇସ୍ୟୁ ହୋଇଥିଲା ରେକର୍ଡ ଦେଖିଲା ପରେ ହିଁ କହିହେବ I ସରକାରଙ୍କ ନିର୍ଦେଶ ନେଇ ନିର୍ମାଣ କରିଥିଲେ ଠିକ୍ ଅଛି ।  ଯଦି ଅନୁମତି ନନେଇ ନିର୍ମାଣ କରିଛନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ I କ୍ବାର୍ଟର ଯଦି କିଛି ଡ୍ୟାମେଜ ହୋଇଥାଏ ତେବେ ପେନାଲିଟ ଲାଗିବ I TYPE-8 କ୍ବାର୍ଟର ସାଧାରଣତଃ ମନ୍ତ୍ରୀ ମାନଙ୍କୁ ମିଳିବା କଥା କିମ୍ବା ଅଲ ଇଣ୍ଡିଆ ଲେବୁଲ ଅଫିସରଙ୍କୁ ଆଲର୍ଟ ହେବାକଥା I  ଆମେ ଯାହା ଦେଖିଲୁ ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଲେ ଜିଏ ଅଧିକାରୀ।   

ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗା କଭରେଜ କରିବାକୁ ଯାଇ ପଡ଼ୋଶୀ କ୍ବାର୍ଟର୍ସରେ  ରହୁଥିବା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘର ପରିସରକୁ ପଶିଯାଇଥିଲେ ଏକ ଘରୋଇ ନ୍ୟୁଜ୍ ଚାନେଲ ସାମ୍ବାଦିକା ଓ କ୍ୟାମେରା ମ୍ୟାନ୍ । ସେମାନଙ୍କ ଉପରକୁ ରଘୁନନ୍ଦନ କୁକୁର ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କ୍ୟାପିଟାଲ ଥାନାରେ  ରଘୁନନ୍ଦନଙ୍କ ବିରୋଧରେ ଏତଲା ଦିଆଯାଇଛି । ତେବେ ଆଗକୁ ଏହି ଘଟଣା କ’ଣ ମୋଡ଼ ନେଉଛି ତା ଉପରେ ରହିଛି ନଜର ।   

            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.