ଆଗକୁ ବଢ଼ିବ ଏଟିଏମ୍‌ ଦେୟ, ୨୩ ଟଙ୍କାକୁ ବଢ଼ାଇବାକୁ ଆର୍‌ବିଆଇ ପାଖରେ ରଖିଲେ ଦାବି

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ ୧୪।୦୬: ଆଗକୁ ବଢ଼ିବ ଏଟିଏମ୍‌ ଦେୟ । ଆର୍‌ବିଆଇ ପାଖରେ ଦାବି ରଖିଲେ ଏଟିଏମ୍‌ ଅପରେଟର । ଟ୍ରାଞ୍ଜାକ୍‌ସନ ପିଛା ସର୍ବୋଚ୍ଚ ଦେୟକୁ ୨୩ ଟଙ୍କାକୁ ବଢ଼ାଇବାକୁ ପ୍ରସ୍ତାବ । ନଗଦ ଉଠାଣ ବେଳେ ଗ୍ରାହକ ଦେଉଥିବା ଇଣ୍ଟର୍‌ଚେଞ୍ଜ୍‌ ଫି’ ବଢ଼ାଇବାକୁ ଏଟିଏମ୍‌ ଅପରେଟରମାନେ ଆର୍‌ବିଆଇ ଏବଂ ଏନ୍‌ପିସିଆଇ ନିକଟରେ ଦାବି । ଏଟିଏମ୍‌ ଶିଳ୍ପ ମହାସଂଘ ଟ୍ରାଞ୍ଜାକ୍‌ସନ ପିଛା ଫି’କୁ ସର୍ବାଧିକ ୨୩ ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଏପରି ହେଲେ ବଢ଼ିପାରେ ଏଟିଏମ୍‌ ଦେୟ । କାରବାରକୁ ଜାରି ରଖିବା ଲାଗି ଅଧିକ ପାଣ୍ଠି ସୁନିଶ୍ଚିତ କରିବା ନିମନ୍ତେ ଏଭଳି ଦାବି ଉପସ୍ଥାପନ କରିଛି ସଂଘ । ସୂଚନାଯୋଗ୍ୟ, ମାଗଣା ଟ୍ରାଞ୍ଜାକ୍‌ସନ ସୀମା ସରିଯିବା ପରେ ଯେଉଁ ଟ୍ରାଞ୍ଜାକ୍‌ସନ୍‌ ହୋଇଥାଏ ତାହା ଉପରେ ଏହି ଦେୟ ଲାଗୁ ହୁଏ ।  ଏଟିଏମ୍‌ ନିର୍ମାତା ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଷ୍ଟାନ୍‌ଲି ଜନ୍‌ସନ୍‌ କହିଛନ୍ତି ଯେ, ଦୁଇ ବର୍ଷ ତଳେ ଇଣ୍ଟର୍‌ଚେଞ୍ଜ୍‌ ଫି’ ବଢ଼ାଯାଇଥିଲା । ଏବେ ଆମେ ପୁନଃ ଏଥିରେ ବୃଦ୍ଧି ଲାଗି ଆର୍‌ବିଆଇ ନିକଟରେ ଦାବି ଉପସ୍ଥାପନ କରିଛୁ । ସର୍ବୋଚ୍ଚ ବ୍ୟାଙ୍କ ମଧ୍ୟ ଏହା ସପକ୍ଷରେ ଅଛି । 

ସିଏଟିଏମ୍‌ଆଇ ଅନୁସାରେ, କିଛି ଏଟିଏମ୍‌ ଅପରେଟର ଇଣ୍ଟର୍‌ଚେଞ୍ଜ୍‌ ଫି’କୁ ୨୩ ଟଙ୍କାକୁ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି । ଗତଥର ବୃଦ୍ଧି ଲାଗି ଅନେକ ବର୍ଷ ଲାଗିଯାଇଥିଲା କିନ୍ତୁ ଏଥର ସବୁ ପକ୍ଷ ବୃଦ୍ଧିକୁ ସମର୍ଥନ କରୁଥିବାରୁ ଇଣ୍ଟର୍‌ଚେଞ୍ଜ୍‌ ଫି’ ବୃଦ୍ଧି ଲାଗି ଅଧିକ ସମୟ ଲାଗି ନ ପାରେ । ସୂଚନାଯୋଗ୍ୟ, ୨୦୨୧ରେ ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ଉପରେ ଇଣ୍ଟର୍‌ଚେଞ୍ଜ୍‌ ଫି’ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପରେ ଏହା ୨୧ ଟଙ୍କାକୁ ବଢ଼ିଥିଲା । 

ଏଟିଏମ୍‌ ଇଣ୍ଟର୍‌ଚେଞ୍ଜ୍‌ ହେଉଛି ସେହି ଦେୟ, ଯାହାକୁ କାର୍ଡ ଜାରି କରିଥିବା ବ୍ୟାଙ୍କ ଉକ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ, ଯେଉଁଠି ନଗଦ ଉଠାଣ ଲାଗି କାର୍ଡ ବ୍ୟବହାର ହୋଇଥାଏ । ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ୨୧ ଟଙ୍କା ଦେୟ ଦେବାକୁ ପଡୁଛି । ଇଣ୍ଟର୍‌ଚେଞ୍ଜ୍‌ ଫି’ ବଢ଼ାଇବା ପାଇଁ ବଡ଼ ମାତ୍ରାରେ ଦାବି ହେଉଛି । ଏନ୍‌ପିସିଆଇ ଏବଂ ବ୍ୟାଙ୍କଗୁଡ଼ିକର ଏକ ପ୍ରତିନିଧି ଦଳ ଏହାକୁ ସମର୍ଥନ ଜଣାଇଛନ୍ତି । ସାଧାରଣତଃ ଇଣ୍ଟର୍‌ଚେଞ୍ଜ୍‌ ଫି’ ବୃଦ୍ଧି ନିଷ୍ପତ୍ତି ଏନ୍‌ପିସିଆଇ ନେଇଥାଏ କାରଣ ଏହି ହାର ଏନ୍‌ପିସିଆଇ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.