ବାଚସ୍ପତି ପଦ ପାଇଁ ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ୟମ; NDA ସହଯୋଗୀଙ୍କୁ ଉପ-ବାଚସ୍ପତି ପଦ ଅଫର୍ !

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ, ୧୮/୬: ଜୁନ୍ ୨୬ ତାରିଖରୁ ଅଷ୍ଟାଦଶ ଲୋକସଭା ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ବାଚସ୍ପତି ଆସନ ନିଜ ପାଖରେ  ରଖିବାକୁ  ସ୍ଥିର କରିଛି । ବାଚସ୍ପତି ପଦ ଉପରେ ବିଜେପି ସମେତ ଏନ୍‌ଡିଏ ସହଯୋଗୀଙ୍କ ନଜର ରହିଥିଲା । ତେବେ ଏହି ଗୁରୁତ୍ବପୂର୍ଣ୍ଣ ପଦ ଯେପରି ବିଜେପି ପାଖରେ ରହିବ ସେନେଇ ସବୁ ଶକ୍ତି ଲଗାଇ ଦେଇଛନ୍ତି ଦଳୀୟ ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଡିଏର ସମସ୍ତ ସହଯୋଗୀ ଦଳମାନଙ୍କୁ ମନେଇବାରେ ଲାଗିଛନ୍ତି । ଅନ୍ୟପଟେ ଏନଡିଏ ସହଯୋଗୀ ଦଳମାନଙ୍କୁ ବିଜେପି ଉପ-ବାଚସ୍ପତି ପଦ ଅଫର କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । 

ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ନ ପାରି ୨୪୦ ଆସନରେ ସୀମିତ ରହିଥିଲା । ତେଣୁ ଏଥର ବିଜେପି ଏନ୍‌ଡିଏ ସହଯୋଗୀଙ୍କ ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିଛି । ବାଚସ୍ପତି କିଏ ହେବେ ଏବେ ତାହାକୁ ସଭିଁଙ୍କ ନଜର ରହିଥିବାବେଳେ ଏନ୍‌ଡିଏ ସହଯୋଗୀଙ୍କ ସହ  ଏହି ବୁଝାମଣା ଦାୟିତ୍ୱ ବରିଷ୍ଠ ବିଜେପି ନେତା ରାଜନାଥ ସିଂ ନେଇଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି ।  ବିଶେଷକରି ଗୁରୁତ୍ୱପୂର୍ଣ୍ଣ  ସହଯୋଗୀ ଜେଡିୟୁ ଏବଂ ଟିଡିପି ସହ  ବିଜେପି ଆଲୋଚନା ଜାରି ରଖିଛି । ବିନା କୌଣସି ମତଭେଦରେ ବାଚସ୍ପତି ପଦ ଯେପରି ବିଜେପି ରଖିବ ଏବଂ ସରକାର   ସୁରୁଖୁରୁରେ ଚାଲିବ ସେଥିପାଇଁ ବିଜେପି ନେତା ଚେଷ୍ଟା ଜାରିରଖିଛନ୍ତି । ନୂଆ ଲୋକସଭାର ବାଚସ୍ପତି ନିର୍ବାଚନ ଆସନ୍ତା ୨୬ ତାରିଖରେ ହେବ ।

ଅନ୍ୟପକ୍ଷରେ ଯଦି ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଉପବାଚସ୍ପତି  ପଦ ନ ମିଳେ ତେବେ ବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ଲୋକସଭା ପରିଚାଳନାରେ ବାଚସ୍ପତିଙ୍କ  ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲା ନୂଆ ଲୋକସଭାରେ ବି  ବାଚସ୍ପତି ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ରାଜସ୍ଥାନର କୋଟାରୁ ବିଜେପି ଟିକଟରେ ସେ ଲୋକସଭା ନିର୍ବାଚନ ଜିତିଛନ୍ତି । ସେହିପରି  ବାଚସ୍ପତି ପଦ ପାଇଁ ବିଜେପି ନେତ୍ରୀ ତଥା ଟିଡିପି ପ୍ରତିଷ୍ଠାତା ଏନ୍‌ଟି ରାମାରାଓଙ୍କ ଝିଅ ଦାଗୁବାଟି ପୁରନ୍ଦେଶ୍ୱରୀ ମଧ୍ୟ ଦୌଡ଼ରେ ଅଛନ୍ତି । ଆନ୍ଧ୍ରପ୍ରଦେଶର ବିଜେପି ପ୍ରଦେଶ ଅଧ୍ୟକ୍ଷା ପୁରେନ୍ଦଶ୍ୱରୀ ୨୦୦୯ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ । ୨୦୧୨ରେ  ସେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ  ରାଷ୍ଟ୍ରମନ୍ତ୍ରୀ ରହିଥିଲେ । ଆନ୍ଧ୍ରପ୍ରଦେଶର  ରାଜାମୁନ୍ଦରୀ ଆସନରୁ ସେ ନିର୍ବାଚନ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.