ପୁରା ତନ୍ତ୍ର ଉଦ୍ୟମ କରୁଛି କେଜରିୱାଲଙ୍କୁ ଜାମିନ୍ ନମିଳୁ, ଏହା ଏକଛତ୍ରବାଦ ବୋଲି କହିଲେ ସୁନିତା କେଜରିୱାଲ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ଏଥିରେ ତାଙ୍କ ପତ୍ନୀ ସୁନିତା କେଜରିୱାଲ ବୁଧବାର କହିଛନ୍ତି ଯେ ପୁରା ତନ୍ତ୍ର ଏହା ନିଶ୍ଚିତ କରିବାକୁ ଉଦ୍ୟମ କରୁଛି ଯେ ଅରବିନ୍ଦ କେଜରିୱାଲ ଯେପରି ଜେଲରୁ ବାହାରି ନ ପାରନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏହା ଏକଛତ୍ରବାଦ ଓ  ଆପାତ କାଳ ସହ ସମାନ। 


ଆମ ଆଦମୀ ପାର୍ଟି (ଆପ) କହିଛି ଯେ ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମନିଲଣ୍ଡ୍ରିଂ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ସମ୍ପୂର୍ଣ୍ଣ ସମ୍ଭାନା ଥିଲା ସେତେବେଳେ ବିଜେପି ଏକ ମିଥ୍ୟା ମାମଲାରେ ତାଙ୍କୁ ସିବିଆଇ ଦ୍ୱାରା ଗିରଫ କରାଇଛି। ସିବିଆଇ କଥିତ ଅବକାରୀ ଦୁର୍ନୀତି ମାମାଲାରେ ଆପ ଜାତୀୟ ସଂଯୋଜକ କେଜରିୱାଲଙ୍କୁ ଔପଚାରିକ ରୂପେ ଗିରଫକରି ୫ ଦିନିଆ ରିମାଣ୍ଡ ନିବେଦନ କରିଥିଲା।


ସୋସିଆଲ ମିଡିଆ ମଞ୍ଚ ଏକ୍ସ ରେ ସୁନିତା  କେଜରିୱାଲ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଜୁନ୨୦ ତାରିଖ ଦିନ ଅବକାରୀ ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଜାମିନ ମିଳିଯାଇଥିଲା। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୁରନ୍ତ ହାଇକୋର୍ଟରେ ଜାମିନକୁ ଚ୍ୟାଲେଞ୍ଜ କରି  ରହିତାଦେଶ ଜାରି କରିଥିଲା।ତା ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିବା ବେଳେ ବୁଧବାର ତାଙ୍କୁ ଗିରଫକରିଛି। ପୁରା ତନ୍ତ୍ର ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି ସେହି ବ୍ୟକ୍ତି ଯେପରି ଜେଲରୁ ମୁକୁଳି ନପାରୁ। ଏହା ଆଇନ ନୁହେଁ ଏକଛତ୍ରବାଦ ଓ ଜରୁରୀ କାଳ। 


ଆପ କେଜରିୱାଲଙ୍କ ଗିରଫ କୁ ନିନ୍ଦା କରିଛି। ସ୍ୱତନ୍ତ୍ର ବିଚାରପତି ଅମିତାଭ ରାବତଙ୍କ ଆଦେଶ ବାଦେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଛି। ଆପ ସୋସିଆଲ ମିଡିଆ ମଞ୍ଚ ଏକ୍ସ ରେ ଏକ ପୋଷ୍ଟ କରି ତାନାଶାହ ଅତ୍ୟାଚାରର ସମସ୍ତ ସୀମା ପାର କରିଥିବା ଉଲ୍ଲେଖ କରିଛି। ଏଥିରେ ତାନାଶହ ତୁମେ ଯେତେ ବି ଅତ୍ୟାଚାର କର କେଜରିୱାଲ ନା ଝୁକିବ ନା ଭାଙ୍ଗିବ ବୋଲି ଆପ ପୋଷ୍ଟରେ ଉଲ୍ଲେଖ କରିଛି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.