ସଂସଦରୁ ‘ସେଙ୍ଗୋଲ’ ହଟାଇ ସମ୍ବିଧାନ ପୁସ୍ତକ ଲଗାଇବାକୁ ‘ସପା’ ସାଂସଦଙ୍କ ଦାବି

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୬:   ସମାଜବାଦୀ ପାର୍ଟି (ସପା)ର ଲୋକସଭା ସାଂସଦ ଆର.କେ.ଚୌଧୁରୀ ପ୍ରୋଟେମ ସ୍ପିକର ଓ ସ୍ପିକରଙ୍କୁ ଚିଠି ଲେଖି ସଂସଦରେ ଲାଗିଥିବା ସେଙ୍ଗୋଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ପିକରଙ୍କୁ ସେଙ୍ଗୋଲ ହଟାଇବାକୁ ଦାବି କରିଛନ୍ତି। ଗତ ଦିନରେ ସେ ସଂସଦରେ ସାଂସଦ ରୂପେ ଶପଥ ଗ୍ରହଣ କରିବା ବେଳେ ତାଙ୍କ ନଜର ସେଙ୍ଗୋଲ ଉପରେ ପଡିଥିଲା। ପରେ ସେ ସ୍ପିକରଙ୍କୁ ଲେଖିଥିବା ଚିଠିରେ ସେଙ୍ଗୋଲ ରାଜା ମହାରାଜାଙ୍କ ପ୍ରତୀକ ବୋଲି କହିଛନ୍ତି। 

ଆର.କେ.ଚୌଧୁରୀ ମୋହନଲାଲଗଞ୍ଜରୁ ସପାର ସାଂସଦ ନିର୍ବାଚିତ ହୋଇଛନ୍ତି। ସେ କହିଛନ୍ତି ଯେ ସେଙ୍ଗୋଲ ସ୍ଥାନରେ ‘ସମ୍ବିଧାନ’ର ବିଶାଳ କପି ଲଗାଯାଉ। ସାଂସଦ ରୂପେ ଶପଥଗ୍ରହଣ ପରେ ବିରୋଧ କରି ଚୌଧୁରୀ ପ୍ରୋଟେମ ସ୍ପିକର ଭର୍ତ୍ତୃହରୀ ମହତାବଙ୍କୁ ଚିଠି ଲେଖିଥିଲେ, ଯେଉଁଥିରେ ସ୍ପିକରଙ୍କ ଚୌକି କଡରେ ସେଙ୍ଗୋଲର ଉପସ୍ଥିତିକୁ  ନେଇ ପ୍ରଶ୍ନ ଉଠାଇଥିଲେ। ସପା ସାଂସଦ ତାଙ୍କ ଚିଠିରେ କହିଛନ୍ତି ଯେ ‘ଆଜି ମୁଁ ସମ୍ମାନୀୟ ସଂସଦରେ ଶପଥ ନେଇଛି ଯେ ଆଇନ ଦ୍ୱାରା ସ୍ଥାପିତ ଭାରତୀୟ ସମ୍ବିଧାନ ପ୍ରତି ସତ୍ୟ ଶ୍ରଦ୍ଧା ଓ ନିଷ୍ଠା ରଖିବି। ହେଲେ ସଦନରେ ଚେୟାରର ଡାହାଣ ପଟେ ସେଙ୍ଗୋଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଛି’। 

ସେ ଲେଖିଛନ୍ତି ଯେ ମହୋଦୟ ଆମ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ଏକ ପବିତ୍ର ଦସ୍ତାବେଜ୍, ହେଲେ ସେଙ୍ଗୋଲ ରାଜତନ୍ତ୍ରର ପ୍ରତୀକ। ଆମ ସଂଦ ଗଣତନ୍ତ୍ରର ମନ୍ଦିର ଅଟେ, କୌଣସି ରାଜା ଅଥବା ରାଜ ପରିବାରର ମହଲ ନୁହେଁ। ସାଂସଦ ଆର.କେ.ଚୌଧୁରୀ ପରେ ଲେଖିଛନ୍ତି ଯେ ‘ମୁଁ କହିବାକୁ ଚାହୁଁଛି ଯେ ସଂସଦ ଭବନରୁ ସେଙ୍ଗୋଲକୁ ହଟାଇ ତା ସ୍ଥାନରେ ଭାରତୀୟ ସମ୍ବିଧାନର ବିଶାଳ କପି ରଖାଯାଉ’। 

ଉଲ୍ଲେଖଯୋଗ୍ୟ ଯେ ନୂଆ ସଂସଦ ଭବନର ନିର୍ମାଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଂସଦ ଭବନ ଭିତରେ ସ୍ପିକରଙ୍କ ଚୌକୀ ନିକଟରେ ସେଙ୍ଗୋଲ ସ୍ଥାପନା କରାଯାଇଥିଲା। ଏହି ସେଙ୍ଗୋଲକୁ ତାମିଲନାଡୁର ଏକ ମନ୍ଦିରରୁ ଅଣାଯାଇଥିଲା ଓ ଏହାକ ଧୂମଧାମର ସହିତ ସଂସଦରେ ସ୍ଥାପନା କରାଯାଇଥିଲା। ଏବେ ସପା ସାଂସଦ ଏହା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.