ନୂଆଦିଲ୍ଲୀ: ଯୌତୁକ ଉତ୍ପୀଡ଼ନ, ଘରୋଇ ହିଂସା ପରି ଅଭିଯୋଗରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅତୁଲ ସୁଭାଷଙ୍କ ମାମଲା ନୂଆ ବିତର୍କକୁ ଜନ୍ମ ଦେଇଛି । ଏବେ ସୁପ୍ରିମକୋର୍ଟରେ ଏହିପରି ମାମଲାକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଦେଶରେ ଘରୋଇ ହିଂସା ଏବଂ ଯୌତୁକ ଉତ୍ପୀଡ଼ନ ଆଇନର ଦୁରୁପଯୋଗ ହେଉଥିବା ଏଥିରେ କୁହାଯାଇଛି । ଯେଉଁଥି ପାଇଁ ବିନାଦୋଷରେ ପୁରୁଷଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି । ପୁରୁଷଙ୍କ ଉତ୍ପୀଡ଼ନ ରୋକିବା ପାଇଁ ଏକ ଗାଡଲାଇନ୍ ପ୍ରସ୍ତୁତ କରିବା ପାଇଁ ଏଥିରେ ଅପିଲ୍ କରାଯାଇଛି । ବିଶାଲ ତିୱାରୀ ନାମକ ଜଣେ ଆଇନଜୀବୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାରେ କହିଛନ୍ତି ଯେ ଅତୁଲଙ୍କ ପରି ଲକ୍ଷ ଲକ୍ଷ ଲୋକ ମିଛ ମାମଲାରେ ନିର୍ଯାତିତ ହେଉଛନ୍ତି ।
ପିଆଇଏଲ୍ରେ କୁହାଯାଇଛି, 'ଏହା କେବଳ ଜଣେ ଅତୁଲ ସୁଭାଷଙ୍କ ମାମଲା ନୁହେଁ ବରଂ ଏପରି ଲକ୍ଷ ଲକ୍ଷ କେସ୍ ଅଛି, ଯେଉଁଠି ପୁରୁଷ ମିଛ କେସ ଚାପରେ ଜୀବନ ହାରିଛନ୍ତି । ଦୌତୁକ ନିର୍ଯାତନା ଆଇନକୁ ଦୁରୁପଯୋଗ କରି ଏହାର ପ୍ରକୃତ ଉଦ୍ଦେଶ୍ୟକୁ ହିଁ ଶେଷ କରିଦିଆଯାଇଛି । ବର୍ତ୍ତମାନ ସମୟରେ ଏହି ଆଇନର ସମୀକ୍ଷା କରିବାର ଆବଶ୍ୟକତା ରହିଛି ।' ଏହି ଆଇନର ସମୀକ୍ଷା ପାଇଁ ଏକ ଗଠନ କରିବା ଲାଗି ବିଶାଲ ତିୱାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ଏହି କମିଟି ଆଇନର ସମୀକ୍ଷା କରିବା ସହ ଏଥିରେ ଥିବା ତ୍ରୁଟିକୁ କିପରି ଦୂର କରାଯାଇପାରିବ ସେନେଇ ପରାମର୍ଶ ଦେବ ।
ବିଶାଲ ତିୱାରୀ ଦାଖଲ କରିଥିବା ପିଆଇଏଲରେ ଅପିଲ୍ କରିଛନ୍ତି, 'ଏହି କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ଆଇନଜୀବୀ ଏବଂ ଆଇନ ବିଶେଷଜ୍ଞଙ୍କୁ ସାମିଲ କରାଯିବା ଦରକାର । ଆବେଦନରେ କୁହାଯାଇଛି ଯେ ଯୌତୁକ ନିର୍ଯାତନା ପରି ଆଇନକୁ ବିବାହିତ ମହିଳାଙ୍କ ସୁରକ୍ଷା ପାଇଁ ଅଣାଯାଇଥିଲା, କିନ୍ତୁ ଆଜି ଏହା ପୁରୁଷଙ୍କ ବିରୋଧରେ ଏକ ହତିଆର ରୂପେ ବ୍ୟବହାର କରାଯାଉଛି ।'