ପିଙ୍କ୍ ବଲ୍ ଟେଷ୍ଟ; ଗୋଲାପି ବଲ୍‌ରେ ହେବ ଅଗ୍ନିବର୍ଷା, ଟିମ୍ କମିନ୍ସକୁ ଅଟକାଇବେ ରୋହିତ୍ ଆଣ୍ଡ୍ କୋ

Published By : Prameya-News7 Bureau | December 06, 2024 IST

ନୂଆଦିଲ୍ଲୀ: ଶୁକ୍ରବାରଠୁ ଖେଳାଯିବ ପିଙ୍କ୍ ବଲ୍ ଟେଷ୍ଟ । ଅଡିଲେଡରେ ମୁହାଁମୁହିଁ ହେବେ ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ । କମିନ୍ସ ଏବଂ ରୋହିତ୍ ବାହିନୀ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ନୂଆ ରଣନୀତି ସହିତ ଦିବାରାତ୍ର ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେପଟେ ଗୋଲାପି ବଲ୍‌ରେ ଅଗ୍ନି ବର୍ଷା କରିବାକୁ ଉଭୟ ଦଳର ପେସ୍‌ ବୋଲର ପ୍ରସ୍ତୁତ ରହିଛି । ପିଚ୍‌ରେ ସବୁଜ ଘାସ ରହିଥିବାରୁ ବଲ୍ ପଡ଼ିବା ଦିଗ ବଦଳାଇବା ସହ ଏକ୍‌ଷ୍ଟ୍ରା ବାଉନ୍ସ  ହୋଇପାରେ । 

ଭାରତୀୟ ସମୟରେ ସକାଳ ସାଢ଼େ ୯ଟାରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପ୍ରାୟ ୫୦,୦୦୦ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ କୋଳାହଳରେ ଷ୍ଟାଡ଼ିୟମ୍‌ କମ୍ପିବ । ଆଗାମୀ ୫ଦିନର ସଂଘର୍ଷ କ୍ରିକେଟ୍‌ ପ୍ରେମୀଙ୍କ ନିଦ ହଜାଇଦେବ । ନଜରରେ ରହିବେ ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆ ମାଟିରେ ରୋହିତ ପ୍ରଥମ କରି ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗତ ୨୦୨୦ରେ ଅନୁଷ୍ଠିତ ପିଙ୍କ୍ ବଲ୍‌ ଟେଷ୍ଟ ବେଳେ ସେ ଫିଟ୍‌ ନଥିଲେ ।  କେବଳ ସେତିକି ନୁହେଁ,  ୫ବର୍ଷ ପରେ ରୋହିତ ପୁଣି  ଥରେ ମଧ୍ୟ କ୍ରମରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟିଂ ସ୍ଥାନ ମଧ୍ୟ ନିଶ୍ଚିତ ହୋଇନାହିଁ । ଆଜିର ମ୍ୟାଚରେ କେ.ଏଲ ରାହୁଲ ଏବଂ ଯଶସ୍ବୀ ଜୈସ୍ବାଲ ଓପନିଂ କରିପାରନ୍ତି । 

ଅପରିବର୍ତ୍ତିତ ରହିବ ବୋଲିଂ ବିଭାଗ ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ନିଶ୍ଚିତ ରହିଛି । ହେଲେ ଆଡିଲେଡ୍‌ରେ ରବି ଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଦର୍ଶନ ଉନ୍ନତ ରହିଛି, ତଥାପି ୱାସିଂଟନ ସୁନ୍ଦର ତାଙ୍କ ସ୍ଥାନରେ ଖେଳିବେ । ଉଭୟ ରବିନ୍ଦ୍ର ଜାଡେଜା ଓ ଅଶ୍ୱିନଙ୍କ ତୁଳନାରେ ସୁନ୍ଦରଙ୍କ ବ୍ୟାଟିଂ ଟେକନିକ୍‌ ଉନ୍ନତ ରହିଛି । ପର୍ଥରେ ପଦାର୍ପଣ କରିଥିବା ନୀତିଶ କୁମାର ରେଡ୍ଡୀ ମଧ୍ୟ ଏକାଦଶରେ ସ୍ଥାନ ବଜାୟ ରଖିବେ । ସେ ପ୍ରଥମ ଟେଷ୍ଟ ସହ ୨ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆକୁ କେବଳ ବୁମରା ଚିନ୍ତା ରହିଛି । 

ବୁମରାଙ୍କ ରେକର୍ଡ: ବୁମରା ଏହି ଟେଷ୍ଟରେ ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ପ୍ରଥମ ବୋଲର ଭାବେ ୨୦୨୪ ବର୍ଷରେ ୫୦ ୱିକେଟ୍‌ ପୂରଣ କରିବେ । ସେପଟେ ବିରାଟ କୋହଲି ଏହି ଗ୍ରାଉଣ୍ଡ୍‌ରେ ୩ଟି ଟେଷ୍ଟ  ଶତକ ଅର୍ଜନ କରିଛନ୍ତି । ଏହି ଟେଷ୍ଟ ଜରିଆରେ  ସେ ଅଡିଲେଡ୍‌ରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର ହୋଇପାରିବେ ।  ବିଜୟ ସୂତ୍ର କହୁଛି ପ୍ରଥମେ ବ୍ୟାଟିଂ ପିଙ୍କ୍‌ ବଲ୍‌ ଟେଷ୍ଟ ପାଇଁ କ୍ୟୁରେଟର ଡାମିଏନ ହଗ୍‌ ଏକ ପେସ୍‌ ବୋଲରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.