ଗୁରୁବାରଠୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ, ଜାଣନ୍ତୁ ଚୂଡ଼ାନ୍ତ ଏକାଦଶ ଓ ପିଚ୍ ରିପୋର୍ଟ

Published By : Prameya-News7 Bureau | December 25, 2024 IST

Outlook India

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଅର୍ଥାତ ଗୁରୁବାରଠୁ ବକ୍ସିଂ ଡେ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫିର ଏହା ହେଉଛି ଚତୁର୍ଥ ଟେଷ୍ଟ। ଏ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ସ୍ଥିତିରେ ରହିଛି। ଡବ୍ଲ୍ୟୁଟିସି ଫାଇନାଲ୍ ଦୃଷ୍ଟିରୁ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ଵପୂର୍ଣ୍ଣ। 

ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟାରୁ ଆରମ୍ଭ ହେବ। ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଏବଂ ଓଟିଟି ପ୍ଲାଟଫର୍ମ ହଟ୍‌ଷ୍ଟାର ଆପ୍‌ରେ ହେବ। ଭାରତୀୟ ଦଳ ଏହି ମ୍ୟାଚ୍‌ରେ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇପାରେ।  ଅଧିନାୟକ ରୋହିତ ଶର୍ମା ଯଶସ୍ଵୀ ଜୟସ୍ଵାଲଙ୍କ ସହ ଇନିଂସ ଓପନ କରି ପାରନ୍ତି। ଦ୍ଵିତୀୟ ଓ ତୃତୀୟ ଟେଷ୍ଟରେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ଗିଲ୍‌ଙ୍କ ସ୍ଥାନରେ ତିନି ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରି ପାରନ୍ତି। 

Also read: ବକ୍ସିଂ ଡେରେ ରେକର୍ଡ କରିବେ କିଙ୍ଗ୍‌କୋହଲି, ଭାଙ୍ଗିବେ ତେନ୍ଦୁଲକରଙ୍କ ମହାରେକର୍ଡ

ଏହା ପରେ ଚାରି ନମ୍ବରରେ ବିରାଟ କୋହଲି ଏବଂ ପାଞ୍ଚ ନମ୍ବରରେ ଋଷଭ ପନ୍ତ ବ୍ୟାଟିଂ କରି ପାରନ୍ତି। ପନ୍ତ ଏ ପର୍ଯ୍ୟନ୍ତ ସିରିଜ୍‌ରେ ଆଶା ମୁତାବକ ପ୍ରଦର୍ଶନ କରି ପାରି ନାହାନ୍ତି। ଫଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଟପ୍-୧୦ରୁ ସେ ବାଦ୍ ପଡ଼ିଛନ୍ତି। ପୁଣି ନମ୍ବର ୬ରେ ରବୀନ୍ଦ୍ର ଜାଡ଼େଜା, ସାତ ନମ୍ବରରେ ନୀତିଶ କୁମାର ରେଡ୍ଡୀ ଓ ଆଠ ନମ୍ବରରେ ଓ୍ଵାଶିଂଟନ ସୁନ୍ଦର ଖେଳି ପାରନ୍ତି।

ମେଲବର୍ଣ୍ଣର ପିଚ୍‌କୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଦୁଇ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ। ଅନ୍ୟପଟେ ନୀତିଶ ଏ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କୁ ଜଣେ ବ୍ୟାଟର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିବ। 

Also read: ଜିଓ ସିନେମା ନୁହେଁ, ଏବ Hotstarରେ ହେବ ଟିମ୍ ଇଣ୍ଡିଆ ମ୍ୟାଚ୍‌ର ସିଧା ପ୍ରସାରଣ

ମେଲବର୍ଣ୍ଣର ପିଚ୍ ସ୍ପିନରଙ୍କୁ ସୁହାଇଥାଏ। ଏହି କାରଣରୁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦର ଉଭୟଙ୍କୁ ସୁଯୋଗ ମିଳିପାରେ। ଟସ୍ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି।

ଅଷ୍ଟ୍ରେଲିଆ ଏହି ଟେଷ୍ଟ ପାଇଁ  ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି। କଙ୍ଗାରୁ ଦଳରେ ୧୯ ବର୍ଷୀୟ ସ୍ୟାମ କୋନଷ୍ଟାସଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ନାଥନ ମ୍ୟାକସ୍ଵିନିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି। ଆହତ ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।

ଚତୁର୍ଥ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ

ଉସ୍ମାନ ଖ୍ଵାଜା, ସ୍ୟାମ କୋନଷ୍ଟାସ, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, ମିଚେଲ୍ ମାର୍ଶ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ନାଥନ ଲିୟୋନ, ମିଚେଲ୍ ଷ୍ଟାର୍କ ଓ ସ୍କୋଟ ବୋଲାଣ୍ଡ। 

ଭାରତୀୟ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଯଶସ୍ଵୀ ଜୟସ୍ଵାଲ, ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ଆକାଶଦୀପ, ଯଶପ୍ରୀତ ବୁମର ଓ ମହମ୍ମଦ ସିରାଜ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.