ନୂଆଦିଲ୍ଲୀ: ମେଲବର୍ଣ୍ଣରେ ନିରାଶ ଟିମ୍ ଇଣ୍ଡିଆ । ବକ୍ସିଂ ଡେ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ଗୋଟିଏ ଦିନ ବି ତିଷ୍ଠି ପାରିଲେନି ଟିମ୍ ଇଣ୍ଡିଆର ବ୍ୟାଟର । ମେଲବର୍ଣ୍ଣରେ ଖେଳାଯାଇଥିବା ବର୍ଡର-ଭାଗାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଭାରତର ଅନ୍ୟ କୌଣସି ବ୍ୟାଟର ଛୁଇଁପାରେଲନି ଦୁଇ ଅଙ୍କ ।
ମେଲବର୍ଣ୍ଣ ଟେଷ୍ଟର ଶେଷ ଦିନରେ ଅଷ୍ଟ୍ରେଲିଆର ଭାରତ ଆଗରେ ୩୪୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟର କେବଳ ୧୫୫ ରନ୍ କରିବାରେ ସକ୍ଷମ ହେଲେ । ଟିମ୍ ଇଣ୍ଡିଆର ବ୍ୟାଟର ନିଜ ପୂର୍ବର ଖାରପ ପ୍ରଦର୍ଶନକୁ ଜାରି ରଖିଥିଲେ । ଟିମର ତିନି ଖେଳାଳି କେଏଲ୍ ରାହୁଲ, ବୁମରା, ଏବଂ ମହମ୍ମଦ ସିରାଜ ଶୂନ ରନ୍ ଆଉଟ୍ ହୋଇଥିଲେ । ସେହିପରି ରୋହିତ ଶର୍ମା (୯), ବିରାଟ କୋହଲି (୫), ରବିନ୍ଦ୍ର ଜାଡେଜା (୨), ନୀତୀଶ କୁମାର ରେଡ୍ଡି (୧), ଆକାଶ ଦୀପ (୭) ରନ୍ କରି ପାଭେଲିୟନ ଫେରିଥିଲେ । ୱାଶିଂଟନ ସୁନ୍ଦର ୫ ରନ୍ ସହ ଅପରାଜିତ ରହିଥିଲେ ।
ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ଇନିଂସରେ ଅଧିନାୟକ ପାଟ୍ କମିନ୍ସ ଏବଂ ସ୍କଟ୍ ବୋଲାଣ୍ଡ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ନାଥାନ ଲାୟନ ୨, ଟ୍ରାଭିସ୍ ହେଡ୍ ଏବଂ ମିଶେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ପ୍ରଥମ ଇନିଂରେ ଅଷ୍ଟ୍ରେଲିଆ ୪୭୪ ରନ୍ କରିଥିଲା । ଯାହାର ଜବାବରେ ଭାରତ ୧୦ ୱିକେଟ୍ ହରାଇ ୩୬୯ ରନ୍ କରିଥିଲା । ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୧୦୫ ଆଗୁଆ ରହିଥିଲା । ଦ୍ୱିତୀୟ ଅଷ୍ଟ୍ରେଲିଆ ୨୩୪ ରନରେ ଅଲଆଉଟ୍ ହୋଇ ଭାରତକୁ ୩୪୦ ରନ୍ ଟାର୍ଗେଟ୍ ଦେଇଥିଲା ।